କଟକ : କରୋନା ପାଇଁ ଅଟକିଛି ୬ଟି ମେଡିକାଲ କଲେଜ ତଥା ଓଡ଼ିଶା ମେଡିକାଲ ଏଜୁକେସନ୍‌ ସର୍ଭସ(ଓଏମ୍‌ଇଏସ୍‌)ର ପଦୋନ୍ନତି ପ୍ରକ୍ରିୟା। ଜୁଲାଇ ୮ରେ ପେପର ଦାଖଲ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଆଶା କରାଯାଉଥିଲା ଜୁଲାଇ ୧୫ ସୁଦ୍ଧା ଡିପାର୍ଟମେଣ୍ଟାଲ ପ୍ରମୋସନ୍ କମିଟି (ଡିପିସି) ବସିବ। ହେଲେ, କରୋନା ପାଇଁ ସବୁ ଠପ୍‌। ଯାହାକୁ ନେଇ କିଛି ବିଭାଗ ମୁରବିଶୂନ୍ୟ ହୋଇପଡ଼ିଥିବାବେଳେ କିଛି ବିଭାଗରେ ଯୋଗ୍ୟ ଲୋକ ପଦୋନ୍ନତିକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟପଟେ ଏପ୍ରିଲରେ ସରକାର ଓଡ଼ିଶା ହେଲ୍‌ଥ ସର୍ଭିସ(ଓଏଚ୍‌ଏସ୍‌)ର ଡିପିସି କରି ୩୦୦ଜଣଙ୍କୁ ପଦୋନ୍ନୋତି ଦେଇସାରିଛନ୍ତି। ସୂଚନା ଅନୁସାରେ, ବର୍ଷକୁ ଥରେ ଡିପିସି ବସିବା କଥା। କିନ୍ତୁ ପୂର୍ବରୁ ଏହା ପ୍ରତ୍ୟେକ ବର୍ଷ ଠିକ୍‌ ଭାବରେ ବସୁ ନଥିଲା। ଗତ କିଛିବର୍ଷ ହେଲା ଏସ୍‌ସିଆଇ ତାଗିଦ୍‌ ପରେ ଡିପିସ ପ୍ରତିବର୍ଷ ବସୁଛି। ଏପରିକି କେତେକ ବର୍ଷ ଏହା ଦୁଇଥର ବି ବସୁଛି। କିନ୍ତୁ ଚଳିତବର୍ଷ ଡିପିସି ବସିନି। ଓଡ଼ିଶା ମେଡିକାଲ ଏଜୁକେସନ୍‌ ସର୍ଭସ(ଓଏମ୍‌ଇଏସ୍‌)ର ଡିପିସି ପାଇଁ ଜୁଲାଇ ୮ତାରିଖ ସୁଦ୍ଧା ପେପର ଦାଖଲ ପାଇଁ ଚିଠି କରାଯାଇଥିଲା। କିନ୍ତୁ କରୋନା ପାଇଁ ତା ଶେଷରେ ବନ୍ଦ ପଡିଛି। ଡିପିସି ନ ବସିବା ଫଳରେ କିଛି ବିଭାଗ‌ ଏବେ ମୁରବିଶୂନ୍ୟ। ଉଦାହରଣ ସ୍ବରୂପ ଏସ୍‌ସିବି ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଅବସରଗ୍ରହଣ ପରେ ପ୍ରଫେସର ପଦ ଖାଲିପଡ଼ିଛି। ଫଳରେ ନେଫ୍ରୋଲୋଜି ବିଭାଗ ପ୍ରଫେସର ଏହାର ଦାୟିତ୍ବରେ ରହିଛନ୍ତି। ଯଦି ଡିପିସି ବସିଥାନ୍ତା ନିଶ୍ଚିତ ଭାବେ କେହି ପଦୋନ୍ନତି ପାଇ ଏହି ବିଭାଗକୁ ବଦଳି ହୋଇ ଆସିଥା’ନ୍ତେ। କିନ୍ତୁ ଏଭଳି ହେଲାନି। ଏହି ବିଭାଗ ଭଳି ଅନେକ ବିଭାଗରେ ଡିପିସି ଅପେକ୍ଷାରେ ବସିଛନ୍ତି ୬ଟି ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର। ଭୀମସାର ସ୍ବୟଂଶାସିତ ହୋଇଥିବାରୁ ସେଡାରେ ଡିପିସି ସରି ପଦୋନ୍ନତି ପାଇ ସାରିଲେଣି ବିଶେଷଜ୍ଞ। ଅନ୍ୟ ସ୍ଥାନମାନଙ୍କରେ ଏହା କରାଯାଉ ନଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି ବୋଲି ମତପ୍ରକାଶ ପାଉଛି।



from ଜିଲ୍ଲା – Sambad https://ift.tt/30PgqlH