ବରଗଡ଼/ପାଇକମାଳ : ଶନିବାର ସକାଳୁ ଗନ୍ଧମାର୍ଦ୍ଦନ ପର୍ବତରେ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପାୟ ଅଧଘଣ୍ଟା ଧରି ଉଭୟ ପଟରୁ ଗୁଳି ଫୁଟିଥିଲା। ତେବେ ଘଞ୍ଚ ଜଙ୍ଗଲ ଏବଂ ପ୍ରବଳ ବର୍ଷାର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିଲେ। ଜଙ୍ଗଲ ଭିତରେ ଥିବା କ୍ୟାମ୍ପରୁ ଜଣେ ଟପ୍‌ କ୍ୟାଡର୍‌ ମାଓବାଦୀର ଟୋପି ମିଳିଛି। ତେଣୁ କୌଣସି ମାଓ କମାଣ୍ଡର ସେଠାରେ ଉପସ୍ଥିତ ଥିବା କୁହାଯାଉଛି। ଏହାବାଦ୍‌ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି।

ଘଟଣା ସଂପର୍କରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ କହିଛନ୍ତି, ଗନ୍ଧମାର୍ଦ୍ଦନରେ ମାଓବାଦୀଙ୍କ କ୍ୟାମ୍ପ ଥିବା ଗୁପ୍ତ ସୂଚନା ମିଳିବା ପରେ କମ୍ବିଂ ଆରମ୍ଭ ହୋଇଥିଲା। ବଲାଙ୍ଗୀର, ବରଗଡ଼ର ଏସ୍‌ଓଜି ଟିମ୍‌ ଏବଂ ସିଆର୍‌ପିଏଫ୍‌ ଯବାନମାନେ ଏଥିରେ ସାମିଲ ଥିଲେ। କମ୍ବିଂ ବେଳେ ଦୁର୍ଗମ ଜଂଗଲ ଭିତରେ ୪ଟି ମାଓ କ୍ୟାମ୍ପ ଠାବ ହୋଇଥିଲା। ସେଠାରେ ୧୦ରୁ ୧୫ଜଣ ମାଓବାଦୀ ଥିଲେ। ଯବାନମାନଙ୍କ ଉପରେ ମାଓବାଦୀ ହଠାତ୍‌ ଗୁଳି ଚଳାଇଥିଲେ। ଯବାନମାନେ ପ୍ରତି ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ପ୍ରାୟ ୯୦ ରାଉଣ୍ଡ ଗୁଳି ଫୁଟିଥିଲା। ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ପଳାଇଥିଲେ। ସେମାନେ ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନ୍‌ର ବୋଲି ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି। ଘଟଣାସ୍ଥଳରୁ ମିଳିଥିବା ଖୋକାରୁ ମାଓବାଦୀମାନେ ଏକେ-୪୭, ଏସ୍‌ଏଲ୍‌ଆର୍‌ ଏବଂ ଇନ୍‌ସାସ୍‌ ଭଳି ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ସଂପୃକ୍ତ ଇଲାକାରେ କମ୍ବିଂ ଅପରେସନ୍‌ ତ୍ବରାନ୍ବିତ କରାଯାଇଥିବା ଏସ୍‌ପି ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର କମାଣ୍ଡାଣ୍ଟ ଯୋଗେନ୍ଦ୍ର ସିଂ ଏବଂ ଡେପୁଟି କମାଣ୍ଡାଣ୍ଟ ସୁରେଶ ଉପସ୍ଥିତ ଥିଲେ।



from ଜିଲ୍ଲା – Sambad https://ift.tt/31xS3b6