ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ ଦୁର୍ଗମ ସ୍ବାଭିମାନ ଅଞ୍ଚଳରେ ଗର୍ଜିଛନ୍ତି ଆଦିବାସୀ। ହାତରେ ପୋଷ୍ଟର ଓ ବ୍ୟାନର ଧରି ରାଲି କରିବା ସହ ସରକାରଙ୍କୁ ବିଭିନ୍ନ ସମସ୍ୟା ନେଇ ଅବଗତ କରାଇଛନ୍ତି। ଚିତ୍ରକୋଣ୍ଡା ଅଞ୍ଚଳରେ ପିଇବା ପାଣିର ଘୋର ଅଭାବ ଥିବାରୁ ତୁରନ୍ତ ସମସ୍ତ ପଞ୍ଚାୟତର ସବୁ ଗ୍ରାମରେ ପିଇବା ପାଣିର ବନ୍ଦୋବସ୍ତ କରିବା ପାଇଁ ଦାବି କରିଛନ୍ତି ଆଦିବାସୀ। ସେପରି କୃଷକମାନଙ୍କର ସମସ୍ୟାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ନେଇ ଚିତ୍ରକୋଣ୍ଡା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଏମାନେ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି।

ଲୋକେ ମୁହଁରେ ଗାମୁଛା ଘୋଡ଼ାଇ ସରକାର ବିରୋଧୀ ସ୍ଳୋଗାନ ଦେଇ ରାଲି କରିଥିଲେ। ଏପରିକି ଏମାନେ ହାତରେ ସିପିଏମ ପତାକା ଧରିଥିବା ଦେଖିବାକୁ ମିଳିଛି। ଏହି ରାଲି ଆଲମପାକାରେ ଅନୁଷ୍ଠିତ ହୋଇଥିଲା। ସ୍ବାଭିମାନ ଅଞ୍ଚଳରେ ନକ୍ସଲ ପକ୍ଷ ଏବଂ ନକ୍ସଲ ବିରୋଧୀ ପକ୍ଷ ରହିଥିବା ବେଳେ ଉଭୟ ପକ୍ଷରୁ ଅଞ୍ଚଳରେ ଅନେକ ସମୟରେ ଏପରି ରାଲି ଆୟୋଜନ ହୋଇଥାଏ। ମାଓବାଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ରାଲି ଆୟୋଜନ ହୋଇଥିବା ନେଇ ଚର୍ଚ୍ଚା ହେଉଛି।



from ଜିଲ୍ଲା – Sambad https://ift.tt/33Qasmj