
ନୂଆପଡ଼ା : ସ୍ବାମୀର ପ୍ରେମିକାକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଏନ୍ଏସି ୱାର୍ଡ ନଂ ୧୯ ଅହିରପଡ଼ାର ଜଣେ ମହିଳା ପ୍ରତିମା ସାହୁଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅହିରପଡ଼ାର କମଳ ସାହୁ (୩୫) କିଛି ବର୍ଷ ତଳେ ପ୍ରତିମାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଝିଅ ଓ ଗୋଟିଏ ପୁଅ ଅଛନ୍ତି। କମଳ ଡ୍ରାଇଭର କାମ କରି ପରିବାର ପ୍ରତିପୋଷର କରୁଥିଲେ। ଗତ ୩ ବର୍ଷ ତଳେ ଖରିଆର ରୋଡ଼ର ରିଙ୍କି ବରିହା ନାମ୍ନୀ ଜଣେ ଯୁବତୀଙ୍କ ସହ କମଳଙ୍କ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଏହାକୁ ପ୍ରତିମା ବିରୋଧ କରିଥିଲେ। ଏହାକୁ ନେଇ ପ୍ରତିଦିନ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା। ଶୁକ୍ରବାର ସନ୍ଧ୍ୟାରେ କମଳ ଘରେ ଥିବା ସମୟରେ ପ୍ରେମିକା ରିଙ୍କି ଆସିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ପରେ ପରେ କମଳ ଗାଡ଼ି ଚଲାଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ପ୍ରତିମା ପିଲାଛୁଆଙ୍କୁ ଅନ୍ୟ ଏକ କୋଠରୀରେ ଶୁଆଇ ଦେଇଥିଲେ। ଏହା ପରେ ପ୍ରତିମା ଓ ରିଙ୍କି ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ପ୍ରତିମା ରାଗିଯାଇ ଏକ ଶାଢ଼ିରେ ରିଙ୍କିଙ୍କ ଗଳାରେ ବାନ୍ଧି ଦେଇ ଟାଣି ଦେଇଥିଲେ। ଅଣନିଃଶ୍ବାସୀ ହୋଇ ରିଙ୍କିଙ୍କ ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ପ୍ରତିମା ନିଜେ ଜୋଙ୍କ ଥାନା ଏସ୍ଆଇ ଭାରତୀ ନାଏକଙ୍କୁ ଫୋନ୍ରେ ରିଙ୍କିଙ୍କୁ ହତ୍ୟା କରିଥିବା କହିଥିଲେ। ଜୋଙ୍କ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପ୍ରତିମାଙ୍କୁ ଗିରଫ କରିଛି।
from ଜିଲ୍ଲା – Sambad https://ift.tt/2CbMzdB
0 Comments