କଟକ : କିଡ୍‌ନି ରୋଗୀଙ୍କ ପାଇଁ କାଳ ସାଜିଛି କରୋନା। ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତ କିଡ୍‌ନି ରୋଗୀଙ୍କ ସଂଖ୍ୟା। ହେଲେ ସେମାନଙ୍କୁ ମିଳିପାରୁନି ଉପଯୁକ୍ତ ଡାଏଲିସିସ୍‌ ବ୍ୟବସ୍ଥା। ଯାହାଫଳରେ ୪ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହେଲାଣି। ଗତକାଲି ଜଣେ ଜଗତସିଂହପୁର ଜିଲ୍ଲାର କିଡ୍‌ନି ରୋଗୀଙ୍କ ଡାଏଲିସିସ୍‌ ହୋଇ ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଓ ଚିକିତ୍ସା ଅବହେଳା ନେଇ ତାଙ୍କ ପରିବାର ଅଭିଯୋଗ ଆଣିଥିଲେ। କୋଭିଡ୍‌ ହସ୍ପିଟାଲରେ ଡାଏଲିସିସ୍‌ ରୋଗୀଙ୍କ ପାଇଁ ସ୍ଥାନ ଅଭାବ ସମସ୍ୟା ରହିଥିବାରୁ ରୋଗୀ ହନ୍ତସନ୍ତ ହେବା ସହ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହୋଇପଡୁଛି। ଅନ୍ୟପ‌ଟେ ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ କିଛି ସଂକ୍ରମିତ ରୋଗୀଙ୍କୁ ଡାଏଲିସିସ୍‌ କରାଯାଇଥିବାବେଳେ ସୋମବାର ସୁଦ୍ଧା କଟକ ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର କରୋନା ଆଇସୋଲେସନ୍‌ ୱାର୍ଡରେ ଡାଏଲିସିସ୍‌ ସୁବିଧା ଆରମ୍ଭ କରାଯିବ ବୋଲି କୁହାଯାଉଛି।

ଏସ୍‌ସିବିରେ ଆଣ୍ଟିଜେନ୍‌ ଟେଷ୍ଟ ବିନା ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯିବନି ବୋଲି ସରକାରୀ ନିର୍ଦ୍ଦେଶ ରହିଛି। ବିଭିନ୍ନ ବିଭାଗରେ କେବଳ ରୋଗୀଙ୍କ ପରୀକ୍ଷା କରାଯାଉଥିବାବେଳେ ସଂପର୍କୀୟଙ୍କ ପରୀକ୍ଷା ହେଉନି। କିନ୍ତୁ ନେଫ୍ରୋଲୋଜି ବିଭାଗ ଓପିଡିକୁ ଡାଏଲିସିସ୍‌ ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କ ମଧ୍ୟ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଯାହାଫଳରେ ଏମିତି ସ୍ଥିତି ଉପୁଜୁଛି ଯେ, ରୋଗୀଙ୍କ ସହ ସଂପର୍କୀୟ ବି କରୋନା ସଂକ୍ରମିତ‌ ହେଉଥିବା ଜଣାପଡୁଛି। ଅନେକ କ୍ଷେତ୍ରରେ ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌ ଥିବାବେଳେ ସଂପର୍କୀୟଙ୍କ ରିପୋର୍ଟ ପଜିଟିଭ୍‌ ଆସୁଥିବାରୁ ଏହାକୁ ନେଇ ସମସ୍ୟା ଉପୁଜିଛି। ଏସ୍‌ସିବିରେ ପାଖାପାଖି ୩୦ଜଣ କିଡ୍‌ନି ରୋଗୀ କରୋନା ସଂକ୍ରମିତ ହୋଇଥିବାବେଳେ ଡାଏଲିସିସ୍‌ ଚିକିତ୍ସା ସେମାନଙ୍କ ପାଇଁ କାଳ ସାଜିଛି। ଏପଟେ ସାଧାରଣ ଡାଏଲିସିସ୍‌ ରୋଗୀ, ସେପଟେ କରୋନା ସଂକ୍ରମିତ ଡାଏଲିସିସ୍‌ ରୋଗୀ। ଏକାଠି ଚିକିତ୍ସା କଲେ ସମସ୍ତେ କରୋନା ସଂକ୍ରମିତ ହେବେ। ତେଣୁ ଭାଗ ଭାଗ କରି ଅଲଗା ଡାଏଲିସିସ୍‌ କରାଯାଉଛି।

ଅନ୍ୟପଟେ ଠିକ୍‌ ସମୟରେ ଡାଏଲିସିସ୍‌ ସୁବିଧା ମିଳିପାରୁ ନଥିବାରୁ ରୋଗୀଙ୍କ ଅବସ୍ଥା‌ ଗୁରୁତର ହୋଇପଡ଼ୁଥିବାବେଳେ ଆଇସୋଲେସନ୍‌ ୱାର୍ଡରେ ସେମାନଙ୍କୁ ଚିକିତ୍ସା ଅବହେଳା କରାଯାଉଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ଡାଏଲିସିସ୍‌ ଠିକଣା ସମୟରେ ହେଉ ନଥିବାରୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡୁଛି। ଏପରିକି ଶୁକ୍ରବାର ରାତିରେ ଜଣେ କିଡ୍‌ନି ଆକ୍ରା‌ନ୍ତଙ୍କ ଆଇସୋଲେସନ୍‌ ୱାର୍ଡରେ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ରୋଗୀ ସଂପର୍କୀୟ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ। ତାଙ୍କ ସହିତ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କ ସଂପର୍କୀୟ ମଧ୍ୟ ଆଇସୋଲେସନ୍‌ ୱାର୍ଡରେ ତୁରନ୍ତ ଡାଏଲିସିସ୍‌ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଦାବି କରିଥିଲେ। ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ୪ଜଣ କିଡ୍‌ନି ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ୱାର୍ଡରେ ମୃତ୍ୟୁ ସଂଖ୍ୟା ୧୦୬ ଛୁଇଁଲାଣି। ଅନ୍ୟପଟେ ଆଇସୋଲେସନ୍‌ରେ ଡାଏଲିସିସ୍‌ ବ୍ୟବସ୍ଥା ପାଇଁ ବିଭିନ୍ନ ପରୀକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କ‌ାମ ଚାଲିଛି। ସମ୍ଭବ ହେଲେ ସୋମବାର ସଂଧ୍ୟାରୁ ଡାଏଲିସିସ୍‌ ବ୍ୟବସ୍ଥା ଆରମ୍ଭ ହେବାର ଯୋଜନା କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।



from ଜିଲ୍ଲା – Sambad https://ift.tt/33OTt3X