ସମ୍ବଲପୁର : ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ତଥା କବି, କଥାକାର, ସ୍ତମ୍ଭକାର, ଭାଷାବିତ୍‌ ଅଭୟ ପାଢ଼ୀ (୭୧ ବର୍ଷ)ଙ୍କ ସୋମବାର ପୂର୍ବାହ୍ନ ସାଢ଼େ ୧୦ ଟା ସମୟରେ ପରଲୋକ ହୋଇଛି। ବରଗଡ଼ ବିକାଶସ୍ଥିତ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ‌

କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାପରେ ସେ ଗତ ୯ ତାରିଖରୁ ସେଠାରେ ଭର୍ତ୍ତି ହୋଇଥିଲେ। ସେହିଦିନ ଅପରାହ୍ନ ୩ଟା ସମୟରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ, ତାଙ୍କର କିଡ୍‌ନିଜନିତ ସମସ୍ୟା ଉପୁଜିବାରୁ ହେବାରୁ ଡାଏଲିସିସ୍‌ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ, ସେ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବାସନ୍ତୀ ମହାନ୍ତି, ଝିଅ ଡା.ନେହା ପାଢ଼ୀ ଏବଂ ପୁଅ ବିଶ୍ବରୂପ ପାଢ଼ୀଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି। କୋଭିଡ କଟକଣା ମଧ୍ୟରେ ସମ୍ବଲପୁର ରାଜଘାଟଠାରେ ଅପରାହ୍ଣ ୫.୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଝିଅ ନେହା ମୁଖାଗ୍ନି ଦେଇଥିଲେ।

ଅଭୟ ପାଢ଼ୀ ୧୯୪୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ରମ୍ପେଲା (ହୀରାକୁଦ ବୁଡ଼ି ଅଞ୍ଚଳ) ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ସମ୍ବଲପୁର ପଟନାୟକପଡ଼ା ପ୍ରାଥମିକ ସ୍କୁଲ, ନୃସିଂହ ଗୁରୁ ଟାଉନ ହାଇସ୍କୁଲ, ଗଙ୍ଗାଧର ମେହେର କଲେଜରେ ସେ ଶିକ୍ଷାଗ୍ରହଣ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ ମିଶ୍ର ତାଙ୍କ ସହପାଠୀ ଥିଲେ। ଉଭୟ ମିଶି କଲେଜରେ ସାହିତ୍ୟ ଏବଂ ସାଂସ୍କୃତିକ ପରିଷଦ ଗଠନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଭାଗରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରିବା ପରେ ସ୍ବଳ୍ପ ସମୟ ପାଇଁ ବରଗଡ଼ସ୍ଥିତ ପଞ୍ଚାୟତ କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପନା କରିଥିଲେ।

ଏହାପରେ ସେ ଭାରତୀୟ ସୂଚନା ସେବାରେ ଯୋଗଦାନ କରି ଆକାଶବାଣୀରେ ଟ୍ରାନ୍ସମିସନ ଏକ୍‌ଜିକ୍ୟୁଟିଭ ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ପରେ ସେ କାର୍ଯ୍ୟକାଳ ଭିତରେ ଅରୁଣାଚଳ ପ୍ରଦେଶ, ମିଜୋରାମ ଆକାଶବାଣୀ ଏବଂ ଦୂରଦର୍ଶନରେ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଥିଲେ। ପ୍ରସାର ଭାରତୀର ପ୍ରଶାସକ ଥିବା ସମୟରେ ସେ ଅନେକ ସଂସ୍କାର ଆଣିଥିବାବେଳେ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ଆକାଶବାଣୀରୁ ଅନେକ ସୂଚନାଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ ତଥା ସମ୍ବଲପୁର ଆକାଶବାଣୀରେ ସମ୍ବଲପୁରୀ ଏବଂ ଜଗଦଲପୁର ଆକାଶବାଣୀରେ ହଲବିର ବ୍ୟବହାରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୨୦୦୯ ମସିହାରେ ଆକାଶବାଣୀ ଓ ଦୂରଦର୍ଶନର ଅତିରିକ୍ତ ମହାନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିଲେ। ଅଭୟ ପାଢ଼ୀଙ୍କ ସମ୍ପର୍କରେ ଆଲୋଚନା ହେଲା ମାତ୍ରେ ତାଙ୍କ ‘ସମ୍ବାଦ-ଜୁଗାର’ରେ ନିୟମିତ ପ୍ରକାଶ ପାଇଥିବା ବିବିଧ ପ୍ରସଂଗ ‘ ଗୁପାଗୁଲା’ ଏବଂ ଆକାଶବାଣୀ ସମ୍ବଲପୁରରୁ ପ୍ରସାରିତ ‘ଟିକେ ଶୁନୁନ୍‌ ତ’ ପାଠକ ତଥା ଶ୍ରୋତାଙ୍କ ମନକୁ ଆସେ।

ଗଣମାଧ୍ୟମ କ୍ଷେତ୍ରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ସ୍ବର୍ଗତ ପାଢ଼ୀ। ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି, ଢେଙ୍କାନାଳ) ସମେତ ଅନେକ ଗଣମାଧ୍ୟମ ସଂସ୍ଥାନରେ ସେ ଅତିଥି ଅଧ୍ୟାପକ ଥିଲେ। ସୁସାହିତ୍ୟିକ , କବି , କଥାକାର ଅଭୟ ପାଢ଼ୀ ୧୯୬୭ ମସିହାରୁ ନିରନ୍ତର କବିତା ଓ ଗଳ୍ପ ରଚନାରେ ବ୍ରତୀ ଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମି ପ୍ରକାଶିତ ପୁସ୍ତକ ‘ ସମକାଳୀନ ସାହିତ୍ୟରେ ତାଙ୍କ କବିତା’ର ହିନ୍ଦୀ ଅନୁବାଦ ସ୍ଥାନ ପାଇଛି। ତାଙ୍କ ରଚିତ ଦୁଇଟି କବିତା ସଂକଳନ ହେଲା -‘ଜନ୍ମାନ୍ଧର ଇନ୍ଦ୍ରଧନୁ ବର୍ଣ୍ଣନା’ ଓ ‘ଋତୁପ୍ରତି’ ଏବଂ ଗଳ୍ପ ସଂକଳନ ‘ମିଛକଥା’। ଇଂରାଜୀ, ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସ୍ବର୍ଗତ ପାଢ଼ୀଙ୍କ ପ୍ରଚଣ୍ଡ ଦଖଲ ଥିଲା। ଇଂରାଜୀରେ ପ୍ରକାଶିତ ସମ୍ବଲପୁରୀ-କୋଶଲି ବ୍ୟାକରଣ ‘ସମ୍ବଲପୁରୀ-କୋଶଲି ଲାଙ୍ଗୁଏଜ୍ ଏ ପ୍ରୋଫାଇଲ୍‌ ’ପୁସ୍ତକର ସେ ‌ହେଉଛନ୍ତି ଅନ୍ୟତମ ପ୍ରଣେତା। ଭାଷା, , ସାହିତ୍ୟ, ସଂସ୍କୃତି, ପରଂପରା, ବିଜ୍ଞାନ, ପରିବେଶ, ରାଜନୀତି ପ୍ରତ୍ୟେକ କ୍ଷେତ୍ରରେ ସ୍ବର୍ଗତ ପାଢ଼ୀଙ୍କର ଥିଲା ପ୍ରଖର ଜ୍ଞାନ। ସେଇଥିପାଇଁ ତାଙ୍କୁ ଲିଭିଂ ଏନ୍‌ସାଇକ୍ଲୋପେଡିଆ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଥିଲା। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଲଗାତାର ଯୋଗଦାନ କରି ବିଭିନ୍ନ ପ୍ରସଙ୍ଗରେ ନିଜ ବିଚାର ବ୍ୟକ୍ତ କରୁଥିଲେ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ବିୟୋଗରେ ଓଡ଼ିଶା ମାଟି ଜଣେ ପ୍ରଖର ଏବଂ ବିଜ୍ଞ ସନ୍ତାନକୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଛନ୍ତି।



from ଜିଲ୍ଲା – Sambad https://ift.tt/3hRNZbU