
ପୁରୀ : ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ଉପରମୁହାଁ ହୋଇଛି। କଟକ ଓ ଖୋର୍ଦ୍ଧା ପରେ ପୁରୀ ଏବେ ଚିନ୍ତା ବଢାଇଛି। ପୁରୀକୁ ସରକାର ଧ୍ୟାନ ନ ଦେଲେ କଟକ-,ଗଂଜାମ ଓ ଖୋର୍ଦ୍ଧା ଭଳି ସ୍ଥିତି ଉପୁଜିବ। ପର୍ଯ୍ୟଟନ ଦୃଷ୍ଟିରୁ ପୁରୀର ଗୁରୁତ୍ବ ଥିବାରୁ ଏଠାରେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ପୁରୀ ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ୩୦୦ ଡେଉଁଥିବାରୁ ପୁରୀକୁ ନେଇ ଚିନ୍ତା ବଢିଛି। ଡାକ୍ତର, ସେବାୟତ, ଆଇନଜୀବୀ, ପୁଲିସ ଏବେ ଅଧିକାଂଶ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଅନ୍ୟ ପଟେ ପୁରୀରେ କୋଭିଡ କଟକଣାକୁ କେହି ମାନୁନାହାନ୍ତି। କିଛି ଦୋକାନୀ ଫୁ କରି ଉଡାଇ ଦେଉଛନ୍ତି। ଆମାନିଆ ଦୋକାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ, କି ଦୋକାନ ସିଲ କରାଯିବାର ନଜିର ପୁରୀରେ ଦେଖାଯାଉନାହିଁ। ଫଳରେ ଏଠାରେ କଟକଣାକୁ କାହାର ଭୟ ରହୁନଥିବା ଅଭିଯୋଗ ହୋଇଛି। ପରିବା ମାର୍କେଟ, ମାଛ ମାର୍କେଟ ଓ ସପିଂ ମଲ ଓ ଉଠା ଦୋକାନରେ ଅସମ୍ଭବ ଭିଡ ଜମୁଛି। ସେ ପଟେ ଭୁବନେଶ୍ବର, କଟକ ଓ ଅନ୍ୟ ଜିଲ୍ଲାରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏହାକୁ ନେଇ ଏବେ ଚିନ୍ତା ବଢିଛି। ଅଧିକାଂଶ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହୁଥିବାରୁ ଏହା ମଧ୍ୟ ଚିନ୍ତାର କାରଣ ହେଲାଣି।
ପ୍ରଶାସନଠାରୁ ମିଳିଥିବା ତଥ୍ୟ ମୁତାବକ, ଆଜି ପୁରୀ ଜିଲ୍ଲାରେ ୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ପୁରୀରେ ସଂକ୍ରମଣ ସଂଖ୍ୟା ୭୯୧୩ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୩୫ରେ ପହଞ୍ଚିଛି। ତେବେ ପୁରୀରେ ଆରୋଗ୍ୟ ହାର ୭୮.୦୭ ରହିଛି। ଇତି ମଧ୍ୟରେ ୬୧୭୮ ସଂକ୍ରମିତ ଆରୋଗ୍ୟ ଲାଭ କରିସାରିଛନ୍ତି। ଏବେ ଜିଲ୍ଲାରେ ୧୭୦୦ ସକ୍ରିୟ ମାମଲା ରହିଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ଗ୍ରାମାଞ୍ଚଳରୁ ଅଧିକ ସଂକ୍ରମିତ ରହିଛନ୍ତି। ଗ୍ରାମାଞ୍ଚଳରୁ ୨୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁରୀ ପୌରାଞ୍ଚଳରୁ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିଠାରୁ ସହରାଞ୍ଚଳ ସଂକ୍ରମଣ କମିଛି। ଆଜି କାକଟପୁର ବ୍ଲକ୍ରୁ ସର୍ବାଧିକ ୪୨ ଜଣ ଚିହ୍ନଟ ହୋଇଥିବା ବେଳେ ପିପିଲିରୁ ୩୯, ବ୍ରହ୍ମଗିରି ୩୬, ନିମାପଡା ୨୧, ଗୋପ ୧୯,ପୁରୀ ସଦର ୧୮, ସତ୍ୟବାଦୀ ୧୬, କଣାସ ୧୧, ଡେଲାଙ୍ଗରୁ ୭ ଓ କୃଷ୍ଣ ପ୍ରସାଦରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
from ଜିଲ୍ଲା – Sambad https://ift.tt/3ceVMz8
0 Comments