ଭବାନୀପାଟଣା: ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଆସନ୍ତା ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରୁ କଳାହାଣ୍ଡିବାସୀ ବିଜୁଳି ପାଇବେ । ଏଥି ନିମନ୍ତେ ସଂଯୋଗ ସ୍ଥାପନ କରୁଥିବା ଜୟପାଟଣା ବ୍ଲକର ବାନେର ଗ୍ରୀଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଗାନ୍ଧୀ ଜୟନ୍ତୀରେ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରି ଜିଲ୍ଲବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର କରିବେ । କଳାହାଣ୍ଡି ଜିଲ୍ଲାରୁ ଶକ୍ତିମନ୍ତ୍ରୀ ଭାବେ ସ୍ଥାନ ପାଇଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ ଯୋଗୁଁ ବହୁ ପ୍ରତିକ୍ଷତ ଦାବୀ ପୁରଣ ହୋଇଥିବା ଯୋଗୁଁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୋବାଲି ଗ୍ରୀଡ଼କୁ ୧୩୨ କେଭିର ବିଦ୍ୟୁତ ପରିବହନ ହେଉଥିଲା । ସେଠାରୁ ବିଦ୍ୟୁତ ଆସିବା ପରେ ଜିଲ୍ଲାବାସୀ ବିଦ୍ୟୁତ ପାଉଥିଲେ । ବର୍ତ୍ତମାନ ଜୟପାଟଣା ବ୍ଲକର ବାନେର ଗ୍ରୀଡ଼ ଠାରେ ୨୨୦ କେଭିକୁ ଉନ୍ନୀତ କରାଯାଇ ଲଡୁ ଗାଁ ଏବଂ ବଡ଼କୁଟରୁ କୁ ୩୩ କେଭି ଲାଇନରେ ବିଦ୍ୟୁତ ପ୍ରଦାନ କରାଯିବ । ଏହାଦ୍ୱାରା କୋକସରା ବ୍ଲକର ଲଡୁ ଗାଁ ସବଷ୍ଟେସନରୁ ୫୧ ଟି ଗାଁ ଓ ଜୟପାଟଣା ବ୍ଲକର ୨୫ ଟି ଗାଁର ୧୬ ହଜାର ବିଦ୍ୟୁତ ଗ୍ରାହକ ଉପକୃତ ହେବେ ।
ସେହିଭଳି ବାନେରରୁ ବଡ଼କୁଟରୁ ସବଷ୍ଟେସନ ମାଧ୍ୟମରେ ଜୟପାଟଣା ବ୍ଲକର ୨୬ ଟି ଗାଁ ଓ କଲମପୁର ବ୍ଲକର ୧୮ ଟି ଗାଁର ୧୧ ହଜାର ବିଦ୍ୟୁତ ଗ୍ରାହକ ସେବା ପାଇପାରିବେ । ଇନ୍ଦ୍ରାବତୀ ପ୍ରକଳ୍ପରୁ ୧୯୯୯ ମସିହାରେ ପ୍ରଥମ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା ଏବଂ ୪ ଟି ଟରବାଇନ ଯୋଗେ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା । ପାୱାର ଗ୍ରୀଡ଼ ଜରିଆରେ ଭୁବନେଶ୍ଵର, ଭଞ୍ଜନଗର, ନରେନ୍ଦ୍ରପୁର, ଥେରୁବାଲି ସମେତ ୪ଟି ସର୍କିଟକୁ ବର୍ତ୍ତମାନ ବିଦ୍ୟୁତ ପରିବହନ ହେଉଛି ।
ଥେରୋବାଲିରୁ ବିଦ୍ୟୁତ ଆସିବା ପରେ କଳାହାଣ୍ଡି ଲୋକେ କେସିଙ୍ଗା ଗ୍ରୀଡ଼ରୁ ୧୩୨ କେଭି ଲାଇନରେ ବିଦ୍ୟୁତ ପାଉଛନ୍ତି । ଫଳରେ ବାରମ୍ବାର ବିଦ୍ୟୁତ କାଟ ଓ ଲୋଭୋଲଟେଜ ଯୋଗୁଁ ଜିଲ୍ଲବାସୀ ସମ୍ମୁଖୀନ ହେଉଛନ୍ତି । ପ୍ରଥମଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ୨୨୦ କେଭି ବିଦ୍ୟୁତ ସେବା ପାଇ ପାରିବେ । ଏହି ସେବା ଯୋଗୁଁ ଦୁଇଟି ମେଗା ଲିଫ୍ଟ ପଏଣ୍ଟକୁ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ପାରିବ । ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ କ୍ରମେ ଏହାର ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ସମସ୍ୟା ନେଇ ଗତକିଛି ଦିନ ତଳେ ମୁଖୀଗୁଡାଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏହାର ସମୀକ୍ଷା ପରେ ଜିଲ୍ଲାବାସୀ ଇନ୍ଦ୍ରାବତୀ ବିଦ୍ୟୁତ ସେବା ପାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ମୁଖ୍ୟ ସଂଯୋଗ ସାଜିଥିବା ବାନେର ଗ୍ରୀଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ ବୋଲି ନିଷ୍ପତି ହୋଇଛି । ଏହା କଳାହାଣ୍ଡି ଜିଲ୍ଲା ପାଇଁ ଏକ ନୂତନ ସୋପାନ ସୃଷ୍ଟି ହେବ । ପରେ ବାନେର ଠାରୁ ଜୁନାଗଡ଼ ଗ୍ରୀଡ଼କୁ ସଂଯୋଗ କରାଯିବ । ଏହା ଦ୍ୱାରା ଜୁନାଗଡ଼, ଧର୍ମଗଡ଼, ଗୋଲାମୁଣ୍ଡା ବ୍ଲକ ଗ୍ରାହକ ଏହି ବିଦ୍ୟୁତ ସେବା ପାଇ ପାରିବେ । 


from ଜିଲ୍ଲା – Sambad https://ift.tt/3ii3OZE