ଭଞ୍ଜନଗର : ସରିଥିଲା ନିର୍ବନ୍ଧ। ମାଘ ମାସରେ ହୋଇଥାନ୍ତା ବିବାହ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ଅଳିଅଳି ଝିଅକୁ ବାହା ଦେବା ପରେ ସେ ନୂଆ ଜୀବନ ଆରମ୍ଭ କରିବା ନେଇ ବାପାମା’ ମନରେ ଆଶା ସଞ୍ଚାର କରିଥିଲେ। ହେଲେ ସବୁ ଆଶା ନିମିଷକରେ ପାଣିଫୋଟକା ଭଳି ମ‌ିଳେଇଗଲା। ଝିଅକୁ ବିଷଧର ସ‌ାପ କାମୁଡ଼ିବା ପରେ ଡାକ୍ତରଙ୍କ ବଦଳରେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିବାରୁ ଅକାଳ‌ରେ ତା’ର ଜୀବନ ଚାଲିଗଲା। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ତୁରୁମୁ ପଞ୍ଚାୟତ କୁମ୍ଭିପଲ୍ଲୀ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ବିଷଧର ସାପ କାମୁଡ଼ାରେ ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ଝିଅ ମନସ୍ବିନୀ ପ୍ରଧାନ(୨୦) ପ୍ରାଣ ହରାଇଛନ୍ତି।

ଗତକାଲି ରାତିରେ ଗୋବିନ୍ଦଙ୍କ ପରିବାରବର୍ଗ ଖାଇସାରିବା ପରେ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ କବାଟ ପାଖ ଛୋଟିଆ ଫାଙ୍କା ଦେଇ ଏକ ବିଷଧର ଚିତି ସାପଘର ଭିତରେ ପଶିଥିଲା। ମା’ଙ୍କ ପାଖରେ ଶୋଇଥିବା ମନସ୍ବିନୀଙ୍କ ପିଠିକୁ କାମୁଡ଼ି ଦେଇଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ଶେଯ ନିକଟରୁ ସାପ ଠାବ ହେବା ପରେ ତାକୁ ବାହାରେ ଛଡ଼ାଯାଇଥିଲା। ହେଲେ ଯନ୍ତ୍ରଣାରେ ଛଟପଟ ହେଉଥିବା ମନସ୍ବିନୀଙ୍କୁ ସଂଗେ ସଂଗେ ଡାକ୍ତରଖାନା ନେବା ବଦଳରେ ତାଙ୍କ ବାପାମା’ କିଛି ପଡ଼ୋଶୀଙ୍କ ସହ ମିଶି ଝଡ଼ାଫୁଙ୍କା ପାଇଁ ସାମରଡ଼‌ା ଗ୍ରାମକୁ ଆଣିଥିଲେ। ସେଠାରେ କିଛି ସମୟ ଧରି ଗୁଣିଆଜଣକ ତନ୍ତ୍ର ଉପଚାର କରିଥିଲା। ତଥାପି ମନସ୍ବିନୀ ଉପଶମ ପାଇ ନଥିଲେ। ବହୁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ସେ ତପସ୍ବିନୀଙ୍କୁ ଡାକ୍ତରଖାନାକୁ ନେଇଯିବାକୁ ନିଜେ ପରାମର୍ଶ ଦେଇଥିଲା। ହେଲେ ସ‌େତେବେଳକୁ ବହୁ ବିଳମ୍ବ ହୋଇଯାଇଥିବା ସହ ମନସ୍ବିନୀଙ୍କ ଶରୀର ଧୀରେ ଧୀରେ ଅକାମୀ ଅବସ୍ଥାକୁ ଆସିଥିଲା। ଆଜି ଭୋର୍‌ରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାରସିଂ ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ କେସ୍ ନମ୍ବର ୨୧/୨୦ ଅନୁସା‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ଅନ୍ଧବିଶ୍ବାସର ବଶବର୍ତ୍ତୀ ନ ହୋଇ ମନସ୍ବିନୀଙ୍କୁ ଠିକ୍ ସମୟରେ ଡାକ୍ତରଖାନାକୁ ଅଣାଯାଇଥିଲେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।



from ଜିଲ୍ଲା – Sambad https://ift.tt/3cbakjC