
କଟକ : କଟକର ଐତିହାସିକ ବାଲିଯାତ୍ରା ଏଥର ଆୟୋଜନ ହେବନାହିଁ। ପୂର୍ବରୁ କାର୍ତ୍ତିକେଶ୍ବର ପୂଜା ପର୍ଯ୍ୟନ୍ତ ସରକାରୀ କଟକଣା ଓ ପୁଲିସର ବିଭିନ୍ନ ନିଷ୍ପତ୍ତି ଆଧାରରେ ବାଲିଯାତ୍ରା ଚଳିତବର୍ଷ ଆୟୋଜନ ହେବନାହିଁ ବୋଲି ‘ସମ୍ବାଦ’ରେ ପ୍ରକାଶ ପାଇ ସାରିଥିବାବେଳେ ଆଜି ଏ ସଂପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପୁଣିଥରେ ସ୍ପଷ୍ଟ କରିଛନ୍ତି।
ବାଲିଯାତ୍ରାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ। ତେଣୁ ଆଉ ଠିକ୍ ମାସକ ପରେ ବାଲିଯାତ୍ରା ଆୟୋଜନ ସମୟ ଥିବାରୁ ବର୍ତ୍ତମାନ କୋଭିଡ୍ ସ୍ଥିତିରେ ସେଭଳି କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ପ୍ରସିଦ୍ଧ ଧବଳେଶ୍ବର ପୀଠରେ ବଡ଼ଓଷା ଓ ଗଜଭୋଗ ନୀତି ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ସେଠାରେ ଲୋକ ସମାଗମ ପାଇଁ ଅନୁମତି ନାହିଁ। ଏବେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଖୋଲିବ। କିନ୍ତୁ ମନ୍ଦିର ଭିତରେ ପୂଜା ବିଧି, ପରଂପରା ପାଳନ ହେଉଛି। ଯାହା ବିଧି ପରଂପରା ରହିଛି, ତାହା ବି ଜାରି ରହିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଲୋକଙ୍କ ଭିଡ଼କୁ ନେଇ କୌଣସି ଚିନ୍ତା କରାଯାଉନାହିଁ। ଯଦି ସରକାର ମନ୍ଦିର ଖୋଲିବାକୁ ଅନୁମତି ଦିଅନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ପ୍ରଶାସନ ଚିନ୍ତା କରିବ ବୋଲି ସୂଚନା ମିଳିଛି।
The post ଏଥର ବାଲିଯାତ୍ରା ବନ୍ଦ, ବିନା ଭକ୍ତରେ ଧବଳେଶ୍ୱରଙ୍କ ବଡ଼ଓଷା ନୀତି first appeared on Sambad.
from ଜିଲ୍ଲା – Sambad https://ift.tt/35NkLqF
0 Comments