ବନ୍ତଳା : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ପଂଚାୟତ ପଥରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇବା ଯୋଗୁଁ ରବିବାର ରାତିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ସମାନ ଘଟଣାରେ ଆଜି ଅପରାହ୍ଣରେ ପୁଣି ଜଣେ ରାଜମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ୩ ଜଣ ହେଲେ କାଇରା ପଧାନ( ୨୦ ବର୍ଷ), ଟୁକୁନା ପଧାନ (୩୦ବର୍ଷ)ଓ ଶଶୀଭୂଷଣ ଦେହୁରୀ ।

Patrika

ମିଳିଥିବା ସୂଚନା ମୁତାବକ, ମୃତ ଓ ଗୁରୁତର ଯୁବକମାନେ ଆଦିବାସୀ ସମ୍ପ୍ରଦାୟର। ସେମାନେ ମୂଲ ମଜୁରୀ କରି ଚଳନ୍ତି। ଗତକାଲି (ରବିବାର) ଦିନ ଗାଁର ଜଣେ ବ୍ୟକ୍ତିଙ୍କର ଘର ଛାତ ପକାଇବା କାମରେ ସେମାନେ ନିୟୋଜିତ ଥିଲେ। ମୃତ ରାଜମିସ୍ତ୍ରି ଶଶୀଭୂଷଣ ଦେହୁରୀଙ୍କ ବଡ଼ ଭାଇଙ୍କ କହିବା ଅନୁସାରେ, କାମ ସରିବା ପରେ ୪ ଜଣ ଯାକ ପ୍ରଚୁର ମହୁଲି ମଦ ପିଇ ଥିଲେ। ସଂଧ୍ୟାରେ ପ୍ରଥମେ କାଇରା ପ୍ରଧାନଙ୍କର ଦେହ ଅସୁସ୍ଥ ହୋଇଥିଲା। ଗାଁରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ଟୁକୁନା ମଧ୍ୟ ପୁଣି ଆଖି ବୁଜି ଦେଇଥିଲେ। ଘଟଣା ପ୍ରଚାରିତ ହେବା ଭୟରେ ଦୁଇ ଜଣଙ୍କ ଶବକୁ ଗାଁରେ ପୋଡି ଦିଆଯାଇଛି।

Patrika

ପରେ ଅସୁସ୍ଥ ଶ୍ରମିକ ବାସୁଦେବ ପଧାନ ଓ ରାଜମିସ୍ତ୍ରି ଶଶୀ ଭୂଷଣ ଦେହୁରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା । ଆଜିi ସକାଳ ୮ଟାରେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅପରାହ୍ଣରେ ଶଶୀଭୂଷଣଙ୍କ ମୃତ୍ୟୁ ଘଟିଥିଲା। ବାସୁଦେବ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି। ଶଶୀଭୂଷଣଙ୍କ ଶବକୁ ଡାକ୍ତରଖାନାର ଶବଗୃହରେ ରଖାଯାଇଛି। ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ l ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

୨୦୧୮ ମସିହା ଡିସେମ୍ବର ମାସରେ ସରଧlପୁରଠାରୁ ୧୦୦ କିଲୋମିଟର ଦୂର ଚନ୍ଦନପୁରରେ ଏଭଳି ବିଷାକ୍ତ ମଦ ପିଇ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀ ମହିଳା ଶ୍ରମିକମାନେ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ। ମାତ୍ର ସେବେ ରାଜନୈତିକ ଚାପ ଯୋଗୁ ଏହି ମାମଲାକୁ ଚାପି ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଜିଲ୍ଲାର ବେଆଇନ ମଦ କାରବାର ସମ୍ପର୍କରେ ‘ ସମ୍ବାଦ ‘ ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ମଦ ମୃତ୍ୟୁ ସଂପର୍କରେ ଚେତାବନୀ ଦେଇଥିଲେ। ଏହାକୁ ନେଇ ‘ ସମ୍ବାଦ ‘ ଖବର ପ୍ରକାଶ ପାଇବା ସହିତ ଚେତାଇ ଦିଆଯାଇଥିଲା; ଯେକୌଣସି ମୁହୂର୍ତରେ ରାଜ୍ୟରେ ମଦ ମୃତ୍ୟୁ ଘଟିପାରେ।

ଉଲ୍ଲେଖଥାଉତି, ଅବକାରୀ ବିଭାଗର ଅବହେଳା ଯୋଗୁଁ ଅନୁଗୁଳ ଜିଲ୍ଲାରେ ଚୋରା ମଦ କାରବାର ଚାଲିଛି। ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀମାନେ ସମ୍ବଲପୁରରୁ ଆସି ଗତ ଏକ ମାସରେ ଅନୁଗୁଳ ଜିଲ୍ଲାରେ ୩ ଥର ଚଢ଼ାଉ କରିଥିବା ବ୍ୟାପକ ପରିମାଣର ରନ୍ଧାମଦ, ପୋଚ ଆଦି ଜବତ କରିଥିବା ବେଳେ ଅନୁଗୁଳ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଥିଲା।

The post ଅନୁଗୁଳରେ ବିଷାକ୍ତ ମଦ ମୃତ୍ୟୁ! ପଥରଗଡ଼ରେ ୩ ମୃତ, ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3dWrfqU