
କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶମୁତାବକ କଟକ ସହରରେ ୪ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ୯ଟି ମଣ୍ଡପ ବାଦ୍ ଅବଶିଷ୍ଟ ମଣ୍ଡପ ଯେଭଳି ଅଧିକ ଉଚ୍ଚତାର ମୂର୍ତ୍ତି କରିବେ ନାହିଁ, ତାହା ଉପରେ କମିସନରେଟ୍ ପୁଲିସର କଡ଼ା ନଜର ରହିବ। ଯେଉଁ ପୂଜା ମଣ୍ଡପ ଏହି ନିର୍ଦ୍ଦେଶନାମା ଉଲ୍ଲଂଘନ କରି ଅଧିକ ଉଚ୍ଚତାର ମୂର୍ତ୍ତି ପୂଜା କରିବେ କିମ୍ବା ସାମାଜିକ ଦୂରତା ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କୋଭିଡ୍ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନରେଟ୍ ପୁଲିସ ସତର୍କ କରାଇଛି।
ଏଥର ସହରରେ କେବଳ କୋଭିଡ୍ କଟକଣା ଜଗିବା ପାଇଁ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେଉଛନ୍ତି। ବିଶେଷ କରି ମୂର୍ତ୍ତିର ଉଚ୍ଚତାକୁ ପ୍ରାଥମିକତା ଦିଆଯିବାକୁ ପୁଲିସ ଯୋଜନା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଚଳିତ ବର୍ଷ ଦଶହରା ଭସାଣି ପରଂପରା ବି ବଦଳିଛି। ମୁଖ୍ୟତଃ କାଠଯୋଡିର ଦେବୀଗଡାରେ ମୂର୍ତ୍ତି ବିସର୍ଜନ ହେଉଥିବା ବେଳେ ଏଥର ଉଭୟ କାଠଯୋଡି, ମହାନଦୀ ଓ ଅନ୍ୟ ମୋଟ ୧୪ଟି ସ୍ଥାନରେ ବିସର୍ଜନ ବ୍ୟବସ୍ଥା କରାଯାଇଛି। ବିସର୍ଜନ ବେଳେ ଯେଭଳି ନଦୀ ପଠାରେ ଅଧିକ ଭିଡ଼ ହେବନାହିଁ, ସେଥିପାଇଁ ବିସର୍ଜନ ସ୍ଥାନ ସଂଖ୍ୟା ବୃଦ୍ଧି କରାଯାଇଛି। ପ୍ରତି ପୂଜା କମିଟି ସହିତ ଜୋନ୍ ଓ୍ବାରି ଡିସିପି ପ୍ରତୀକ ସିଂହ ବୈଠକ କରିସାରିଥିବା ବେଳେ ପୂଜା ଆୟୋଜନ ସମୟରେ କୋଭିଡ୍ କଟକଣା ଯେଭଳି ଖିଲାପ୍ ନହୁଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।
ଅନ୍ୟପଟେ ଆସନ୍ତା ୨୨ ତାରିଖରୁ ଷଷ୍ଠୀ ପୂଜା ଆରମ୍ଭ ହେଉଥିବା ବେଳେ ଆଜିଠାରୁ ସହରର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହୋଇଛି କଟକ କମିସନରେଟ୍ ପୁଲିସ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଏବଂ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଥାନା ପୁଲିସ ଡ୍ୟୁଟି କରିବ। ୨୨ଟି ଥାନାକୁ ମୋଟ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି। ଥାନା ପିଛା ଗୋଟିଏ ସେକ୍ସନ ପୁଲିସ ଡ୍ୟୁଟି କରିବେ। ଆଜି ସନ୍ଧ୍ୟା ପରଠାରୁ ରିଙ୍ଗ ରୋଡ, ବାରଙ୍ଗ, ଚୌଦ୍ବାର, ଜଗତପୁର, ଫୁଲନଖରା ଅଞ୍ଚଳରେ ବ୍ଲକିଂ ଆରମ୍ଭ ହୋଇଯାଇଛି।
ସହର ଭିତରକୁ ବାହାର ଜିଲ୍ଲାର ଅପରାଧୀ ପ୍ରବେଶ କରିବାର ଆଶଙ୍କା ଥିବାରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଥାନାର ୨୨ଟି ପିସିଆର୍ ଭ୍ୟାନ ସହିତ ଆହୁରି ୮ଟି ନୂଆ ଗାଡ଼ି ଚଳିତ ବର୍ଷ ପାଟ୍ରୋଲିଂରେ ସାମିଲ ହୋଇଛି। ସହରରେ ମୋଟ ୧୭ଟି ପୁଲିସ ଏଡ୍ ପୋଷ୍ଟ ଖୋଲାଯିବ। ପ୍ରତି ଏଡ୍ ପୋଷ୍ଟରେ ଜଣେ ଏସଆଇଙ୍କୁ ନିୟୋଜିତ କରାଯିବ। ସମ୍ବେଦନଶୀଳ ଅଞ୍ଚଳରେ ଇନସ୍ପେକ୍ଟରଙ୍କୁ ଦାୟିତ୍ବ ଦିଆଯିବ। ଏହି ଏଡ୍ ପୋଷ୍ଟ ଗୁରୁବାରଠାରୁ କାର୍ଯ୍ୟ କରିବ। ମୋଟ ସହରକୁ ୩୦ ପ୍ଲାଟୁନ୍ ଫୋର୍ସ ସହିତ ୧୦୦ କନଷ୍ଟେବଳ, ୧୦୦ ଏସଆଇ ଏବଂ ୨୦ ଜଣ ଇନସ୍ପେକ୍ଟର ଓ ଏସିପିଙ୍କୁ ନିୟୋଜିତ କରାଯାଇଛି।
The post କଟକ ଦଶହରାରେ ମୂର୍ତ୍ତି ବିସର୍ଜନ ପାଇଁ ନୂଆ ନିଷ୍ପତ୍ତି : ଏଥର କେବଳ ଦେବୀଗଡ଼ା ନୁହେଁ, ୧୪ଟି ସ୍ଥାନରେ ବିସର୍ଜନ ବ୍ୟବସ୍ଥା first appeared on Sambad.
from ଜିଲ୍ଲା – Sambad https://ift.tt/2HhzcLe
0 Comments