
ବାଙ୍ଗିରିପୋଷି/କଳାବାଡ଼ିଆ : ପହଁରା ଶିଖିବା ମହଙ୍ଗା ପଡ଼ିଲା। ପହଁରୁ ପହଁରୁ ନଦୀରେ ବୁଡ଼ିଯିବାରୁ ଭାଇ ଓ ସାଙ୍ଗଙ୍କ ଆଖିଆଗରେ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ମୟୂରଭଂଜ ଜିଲ୍ଲାରେ ଆଜି ଘଟିଛି ଏମିତି ଏକ ଅଭାବନୀୟ ଘଟଣା।
ବାଙ୍ଗିରିପୋଷି ବଜାରରେ ରହୁଥିବା ଶିକ୍ଷକ କମଲ ହୋତାଙ୍କ ସାନପୁଅ ଅର୍ମାନ ହୋତା (୨୦) ଆଜି ନିଜ ବଡ଼ଭାଇ ଆର୍ଯ୍ୟନ ହୋତା ଓ କିଛି ସାଙ୍ଗଙ୍କ ସହ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀର କାଳିଆମି ଘାଟକୁ ପହଁରା ଶିଖିବାକୁ ଯାଇଥିଲେ। ପହଁରୁ ଥିବାବେଳେ ଅର୍ମାନ ନଦୀସ୍ରୋତରେ ଭାସିଯିବା ସହ ବୁଡ଼ିଯାଇଥିଲେ। ତେବେ ବଡ଼ଭାଇ ଆର୍ଯ୍ୟନ କି ସାଙ୍ଗମାନେ; କେହି ପହଁରା ଜାଣି ନଥିବାରୁ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ପାଟି ଶୁଣି ସ୍ଥାନୀୟ କିଛି ଗ୍ରାମବାସୀ ଘାଟରେ ପହଂଚି ଅର୍ମାନଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଂଗେ ସଂଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ବାଙ୍ଗିରିପୋଷି ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଛି। ମୃତ ଅର୍ମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆର୍ଆଇ ଅଜିତ କୁମାର ସିଂହ କହିଛନ୍ତି। ଏଠାରେ ଉଲ୍ଲେଖଥାଉ କି ଗତ ଦୁଇବର୍ଷ ମଧ୍ୟରେ କାଳିଆମି ନଦୀ ଘାଟରେ ବୁଡ଼ି ୩ ଜଣ ଯୁବକ ଓ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।
The post କଳାବାଡ଼ିଆ : ନଦୀରେ ବୁଡ଼ିଗଲେ ଯୁବକ, ବଡ଼ଭାଇ ଆଗରେ ଚାଲିଗଲା ସାନଭାଇର ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/3lF5rmi
0 Comments