
କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ଶ୍ରଦ୍ଧାଳୁଙ୍କ ମାନସିକ ସୁସ୍ଥତା ଓ ଆଧ୍ୟାତ୍ମିକ ବିକାଶ ପ୍ରସଂଗକୁ ବିଚାରକୁ ନେଇ ଧର୍ମାନୁଷ୍ଠନରେ ପ୍ରବେଶ ପାଇଁ ଅନୁମତି ପ୍ରାର୍ଥନା କରି ଗୀତାର୍ଥ ଗଙ୍ଗା ଟ୍ରଷ୍ଟ୍ କରିଥିବା ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାରେ ଅନ୍ୟ ପ୍ରତିପକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଥିଲେ। ଚଳିତମାସ ଶେଷ ସପ୍ତାହରେ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ୍ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ପ୍ରସଂଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆଜି ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ନଭେମ୍ବର ୧୮କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏହି ଜନସ୍ବାର୍ଥ ମାମଲାରେ ଗତ ୨୫ ତାରିଖରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ବର୍ତ୍ତମାନ ସ୍ଥିତିରେ ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ମନ୍ଦିର ଖୋଲିରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ। ସବୁଠି ପୁଲିସ ମୁତୟନ କରି କଟକଣା କରିବା ସମ୍ଭବ ନୁହେଁ। ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର।
ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି। ପ୍ରତି ଗାଁରେ ଅତି କମ୍ରେ ଗୋଟିଏ ମନ୍ଦିର ରହିଛି। ସବୁ ମନ୍ଦିରରେ ଏକ ସମୟରେ ପୁଲିସ ମୁତୟନ କରିବା ସମ୍ଭବ ନୁହେଁ। ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ବୟସ୍କ ଲୋକମାନେ ଧର୍ମାନୁଷ୍ଠାନକୁ ନିୟମିତ ଭାବେ ଯାଉଥିବା ବେଳେ ଯଦି ଧର୍ମାନୁଷ୍ଠାନ ଖୋଲାଯାଏ ତେବେ ସେମାନଙ୍କ ସଂକ୍ରମଣ ଆଶଙ୍କା ରହିଛି। ଏପରି ପରିସ୍ଥିତିରେ ଧର୍ମାନୁଷ୍ଠାନ ଖୋଲିବା ଉପରେ ଯେଉଁ କଟକଣା ଜାରି କରାଯାଇଛି ତାହା ଜନସ୍ବାର୍ଥରେ ବୋଲି ଜବାବରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଓ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
The post ମନ୍ଦିର ଖୋଲିବା ମାମଲାର ଶୁଣାଣି ଘୁଞ୍ଚିଲା first appeared on Sambad.
from ଜିଲ୍ଲା – Sambad https://ift.tt/2GT60KC
0 Comments