ରାଉରକେଲା : ଦୀର୍ଘଦିନର ବ୍ୟବଧାନରେ ପୁଣିଥରେ ସୁନ୍ଦରଗଡ଼ ଜିଲ୍ଲାରେ ମାଓ ଗତିବିଧି ନଜରକୁ ଆସିଛି। ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ କେ.ବଲାଙ୍ଗ ଥାନା ଅଞ୍ଚଳରୁ ଆଜି ପ୍ରାୟ ୧୫ କେଜିର ଲ୍ୟାଣ୍ଡ୍‌ମାଇନ୍‌ ଉଦ୍ଧାର ହୋଇଛି। ଅଞ୍ଚଳରେ ଚାଲିଥିବା ସିଆର୍‌ପିଏଫ୍‌, ପୁଲିସର କମ୍ବିଂ ଅପରେସନକୁ ଟାର୍ଗେଟ କରି ମାଓ ସଂଗଠନ ଲ୍ୟାଣ୍ଡ୍‌ମାଇନ ଖଞ୍ଜିଥିଲେ। ଯବାନଙ୍କୁ ଟାର୍ଗେଟରେ ମାଓ ସଂଗଠନ ପୁଣି ମାତି ଯାଇଥିବା ସ୍ପଷ୍ଟ ହେବାପରେ କମ୍ବିଂ ଅପରେସନକୁ ତୀବ୍ର ଓ ବ୍ୟାପକ କରାଯାଇଛି।

କେ.ବଲାଙ୍ଗ ଥାନା ଅଞ୍ଚଳରେ ମାଓବାଦୀ ପୁଣି ମେଳି ବାନ୍ଧୁଥିବା ସିଆର୍‌ପିଏଫ୍‌-୧୯ ବାଟାଲିଅନକୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଅନୁସାରେ ଆଜି ଭୋର୍‌ ପ୍ରାୟ ସାଢ଼େ ୪ଟାରେ ଦୁଇ ପ୍ଲାଟୁନ ସିଆର୍‌ପିଏଫ୍‌ ଯବାନ କେ.ବଲାଙ୍ଗ ପୁଲିସ ସହ କମ୍ବିଂ ଅପରେସନରେ ବାହାରି ଯାଇଥିଲେ। କେ.ବଲାଙ୍ଗ ଥାନା ଅନ୍ତର୍ଗତ ସାଇବାହାଲ, ଲୁଙ୍ଗରା, ହାତୀଗୁଡ଼ା, ବଖରାଟୋଲି, ଝାରବେଡ଼ା ଆଦି ସଂରକ୍ଷିତ ଜଙ୍ଗଲରେ ଅପରେସନ୍‌ ଜାରି ରଖିଥିଲେ। ଦିନ ପ୍ରାୟ ୧୨ଟା ୧୫ ମିନିଟରେ ଝାରବେଡ଼ା ସଂରକ୍ଷିତ ଜଙ୍ଗଲର ହାତୀଗୁଡ଼ା ଗାଁ ପାଖରେ ଥିବା ଛୋଟ ପାହାଡ଼ ଭିତରେ ଥିବା ମାଟି ରାସ୍ତାରେ ଏକ ଷ୍ଟିଲ୍‌ ଟିଫିନ୍‌ରେ ପ୍ରାୟ ୧୫ କେଜିର ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜାଯାଇଥିବା ଦେଖିବାକୁ ପାଇଥିଲେ। ଏହି ଲ୍ୟାଣ୍ଡ୍‌ମାଇନ୍‌କୁ ଜବତ କରାଯିବା ସହ ନିଷ୍କ୍ରିୟ କରାଯାଇଥିଲା। ସିଆର୍‌ପିଏଫ୍‌ ସେକେଣ୍ଡ୍‌-ଇନ୍‌-କମାଣ୍ଡ୍‌ ତାରାଚାନ୍ଦ ଭଟ୍ଟ କମ୍ବିଂ ଅପରେସନ୍‌ର ନେତୃତ୍ବ ନେଇଥିଲେ। ଲ୍ୟାଣ୍ଡ୍‌ମାଇନ ଉଦ୍ଧାର ହେବାପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ବ୍ୟାପକ କରାଯାଇଛି। ସୂଚନାଯୋଗ୍ୟ, ବେଶ୍‌ କିଛି ଦିନ ହେଲା ଜିଲ୍ଲାରେ ମାଓ ଗତିବିଧି ଶୂନ ରହିଥିଲା। ଶେଷଥର ପାଇଁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନବେଳେ ଲ୍ୟାଣ୍ଡ୍‌ମାଇନ୍‌ ଉଦ୍ଧାର ହୋଇଥିଲା।



from ଜିଲ୍ଲା – Sambad https://ift.tt/3lBcV9J