ବଲାଙ୍ଗୀର : ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଦ୍ଧାନ ହେବା ଘଟଣାକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ସେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିଛନ୍ତି। ନେତାଜୀଙ୍କ ନିଖୋଜକୁ ନେଇ ବିଭିନ୍ନ ସମୟରେ ଭାରତ ସରକାର ସାହାନଓ୍ବାଜ କମିସନ, ଖୋସଲା କମିସନ ଏବଂ ମୁଖାର୍ଜୀ କମିସନଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ସାହାନବାଜ ଓ ଖୋସଲା କମିସନ ରିପୋର୍ଟରେ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇଥିବା କଥା ଦର୍ଶାଯାଇଥିବା ବେଳେ ମୁଖାର୍ଜୀ କମିସନ ରିପୋର୍ଟରେ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାଜନିତ ନୁହେଁ ବୋଲି ଦର୍ଶାଯାଇଥିଲା। ଭାରତ ସରକାର ସାହାନଓ୍ବାଜ କମିସନ ଓ ଖୋସଲା କମିସନ ରିପୋର୍ଟକୁ ଗ୍ରହଣ କରିଥିବା ବେଳେ ମୁଖାର୍ଜୀ କମିସନ ରିପୋର୍ଟକୁ ଅଗ୍ରାହ୍ୟ କରିଥିଲେ।

ଏ ନେଇ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏହାକୁ ନେଇ ୨୦୧୬ ମସିହା ଡିସେମ୍ବର ମାସରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏହି ଦାବିପତ୍ରରେ ସେ ଉଲ୍ଲେଖ କରିଥିଲେ ‌ଯେ, ଭାରତ ସରକାର ସାହାନୱାଜ କମିସନ ଓ ଖୋସଲା କମିସନ ରିପୋର୍ଟକୁ ଗ୍ରହଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନେତାଜୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ରାଷ୍ଟ୍ରୀୟ ଶୋକ ଘୋଷଣା କରିନାହାନ୍ତି। ସରକାର ତୁରନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିବାକୁ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ନଚେତ ଗ୍ରହଣ କରିଥିବା ଦୁଇ କମିସନ ରିପୋର୍ଟକୁ ଅଗ୍ରାହ୍ୟ କରନ୍ତୁ ବୋଲି ଶ୍ରୀ ପଣ୍ଡା ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ଦାବିପତ୍ରକୁ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଥିଲା।

ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ଜାଣିବା ପାଇଁ ଶ୍ରୀ ପଣ୍ଡା ସୂଚନା ଅଧିକାର ଆଇନ ବଳରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ତଥ୍ୟ ମାଗିଥିଲେ। କିନ୍ତୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ତଥ୍ୟ ନଦେଇ ଅନ୍ୟ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ। ଏହାକୁ ନେଇ ଶ୍ରୀ ପଣ୍ଡା ଉପଯୁକ୍ତ ଫୋରମ୍‌ରେ ଆବେଦନ କରିଥିଲେ। ଶେଷରେ ଜାତୀୟ ସୂଚନା ଆୟୁକ୍ତ ୟଶବର୍ଦ୍ଧନ ସିହ୍ନା ଶ୍ରୀ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ଶୁଣାଣି ସମୟରେ ଉପସ୍ଥିତ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦେଶକ (ସୁରକ୍ଷା) ରାକେଶ ପାଣ୍ଡେ ଏବଂ ଉପସଚିବ ଏସ୍‌.କେ.ଝାଙ୍କୁ ଗତ ୧୬ ତାରିଖ ଦିନ ଦ୍ୱିତୀୟ ଆବେଦନ ନଂ ସି.ଆଇ.ସି/ ଏମଏଚଓଏମଇ/ଏ/ ୨୦୧୮/୧୬୫୯୫୯ରେ ନିର୍ଦେଶ ଜାରି କରିଛନ୍ତି। ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କ ଆବେଦନକୁ ଅନାବଶ୍ୟକ ଭାବେ ସ୍ଥାନାନ୍ତରିତ କରିଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପସଚିବ ଏସ.କେ. ଝା କମିସନଙ୍କଠାରେ ଦୁଃଖ ପ୍ରକାଶ କରିଥିଲେ। ଜାତୀୟ ସୂଚନା ଆୟୁକ୍ତଙ୍କ ନିର୍ଦେଶକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ସ୍ୱାଗତ କରିଥିବା କହିଛନ୍ତି।

The post ଜାତୀୟ ସୂଚନା ଆୟୋଗଙ୍କ ନିର୍ଦେଶ : ନେତାଜୀଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ ତଥ୍ୟ ଦେବ କେନ୍ଦ୍ର first appeared on Sambad.



from ଜିଲ୍ଲା – Sambad https://ift.tt/3dFBmjv