
ପୁରୀ : ବଗଲା ଧର୍ମଶାଳା ଜମି ପାଇଁ ୨୭ ଦିନର ଗଣଧାରଣା ଓ ଦସ୍ତଖତ ଅଭିଯାନ ପରେ ଆଜି ଠାରୁ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ବାରରୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେପି ପଦଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଏହି ଉପଲକ୍ଷେ ବିଜେପି ବିଧାୟକ, ଦଳୀୟ ନେତା ଓ କର୍ମୀମାନେ ସିଂହଦ୍ବାରରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛନ୍ତି।
ବିଜେପିର ଅଭିଯୋଗ ହେଲା, ବଗଲା ଜମି ବିବାଦ କୋର୍ଟଙ୍କ ବିଚାରାଧୀନ ଥିବାବେଳେ ସରକାର ତଥା ଜିଲ୍ଲା ପ୍ରଶାସନ ଚଞ୍ଚକତା ପୂର୍ବକ ଏହାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ବିସ୍ଥାପିତ କିଛି ଲଜ୍ ମାଲିକଙ୍କୁ ବିକ୍ରି କବଲା କରିଛି। ଏହି ବିକ୍ରି କବଲାକୁ ରଦ୍ଦ କରିବାକୁ ଜିଲ୍ଲା ବିଜେପି ଦାବି କରିଛି। ସେହିଭଳି ପୁରୁଣା ଜେଲ୍ ସ୍ଥାନାନ୍ତର ପରେ ଖାଲି ପଡ଼ିଥିବା ଏହାର ପ୍ରଶସ୍ତ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ମିଶାଇବାକୁ ଜିଲ୍ଲା ବିଜେପି ଦାବି କରିଛି। ଏହି ଦାବିରେ ଆଜି ଠାରୁ ପଦଯାତ୍ରା ଆରମ୍ଭ ହୋଇଛି। ପୁରୀରୁ ବାହାରି ଥିବା ଏହି ପଦଯାତ୍ରା ଆଜି ସାତଶଙ୍ଖ ଠାରେ ଅଟକିଛି। ପୁଣି ଆସନ୍ତାକାଲି ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ ହେବ। ଆଜିର ଏହି ପଦଯାତ୍ରାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।
The post ବଗଲା ଧର୍ମଶାଳା ଜମି ବିବାଦ : ବିଜେପିର ସିଂହଦ୍ବାରରୁ ନବୀନ ନିବାସ ପଦଯାତ୍ରା first appeared on Sambad.
from ଜିଲ୍ଲା – Sambad https://ift.tt/3jV39ip
0 Comments