
ରାମଚନ୍ଦ୍ରପୁର : ପୁଅକୁ ବଞ୍ଚାଇବାକୁ ଯାଇ ପଥର ଖାଦାନରେ ବୁଡ଼ିଗଲା ମା’। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆଗାଁ ପଥର ଖାଦାନରେ।
ଗ୍ରାମର ନମିତା ବେହେରା (୨୫) ଏବଂ ତାଙ୍କ ୩ ବର୍ଷର ପୁଅ ବନ୍ଦନ ପଥର ଖାଦାନରେ ଗାଧୋଉଥିଲେ। ମାତ୍ର ଅସାବଧାନତା କାରଣରୁ ପୁଅ ଚନ୍ଦନ ପାଣିରେ ବୁଡ଼ି ଯାଇଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ମା’ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ। ମାତ୍ର ଆଉ ଉଠି ପାରି ନଥିଲେ। ଏହାଦେଖି ସ୍ଥାନୀୟ ଲୋକ ପାଣିରେ ବୁଡ଼ିଯିବା ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ମା’ ନମିତାଙ୍କୁ ବହୁ ଖୋଜାଖୋଜି ପରେ ଗଭୀର ପାଣିରୁ ଉଦ୍ଧାର କରାଯାଇ ସାଇଁକୁଳ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ନମିତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଚନ୍ଦନର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି। ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ନମିତାଙ୍କ ସ୍ବାମୀ ଅଜୟ ବେହେରା ନିକଟରେ ଚେନ୍ନାଇ ଯାଇ ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପତ୍ନୀଙ୍କ ଅସ୍ବାଭାବିକ ମୃତ୍ୟୁରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ନିହାତି ଗରିବ ଶ୍ରେଣୀର ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ରାମଚନ୍ଦ୍ରପୁର : ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲା ମା’ first appeared on Sambad.
from ଜିଲ୍ଲା – Sambad https://ift.tt/35qHatC
0 Comments