ପୁରୀ : ଶ୍ରୀମନ୍ଦିର ୫୭ ମିଟର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ଅଜାଡ଼ି ଦେଇଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ କରି ଗଢ଼ିତୋଳିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଉଚ୍ଛେଦ ପ୍ରକ୍ରିୟା ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ରାଜ୍ୟ ସରକାର ପୁରୀ ବିକାଶ ପାଇଁ ଯେତିକି ବ୍ୟଗ୍ର, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସଂସ୍ଥା (ଏଏସ୍‌ଆଇ) ସେତିକି ମନ୍ଥର ହୋଇପଡ଼ିଛି। କହିବାକୁ ଗଲେ କାମକୁ ତୁରନ୍ତ ସାରିବାକୁ ସହଯୋଗ କରୁନାହିଁ। ମେଘନାଦ ପ୍ରାଚୀର ଓ ବେଢ଼ାକୁ ଲାଗି ନିର୍ମାଣ ହେବାକୁ ଥିବା ପରିକ୍ରମ‌ା ମାର୍ଗର ରୂପରେଖ ଏ ଯାଏ ପ୍ରସ୍ତୁତ କରୁନାହିଁ। ଏ ଦିଗରେ କୌଣସି ଅଗ୍ରଗତି ମଧ୍ୟ ହେଉନାହିଁ।

ଏକ ଘରୋଇ ସଂସ୍ଥା ଉଜ୍ଜ୍ବଳ ଆଲୋକ ପାଇଁ ଦେଇଥିବା ୨୫ ଲକ୍ଷ ଟଙ୍କାକୁ ଏଏସ୍‌ଆଇ ପକାଇ ରଖିଛି। ଏହାର ଖର୍ଚ୍ଚ ମଧ୍ୟ କରୁନାହିଁ। ଏଏସ୍‌ଆଇକୁ ନେଇ ଅନେକ ବିବାଦ ଉଙ୍କି ମାରିଛି। ସଂରକ୍ଷଣ ଶୈଳୀ, ବର୍ଷ ବର୍ଷ ଧରି ସଂରକ୍ଷଣକୁ ନେଇ ଅବହେଳା, ସଂରକ୍ଷଣ ବେଳେ ତ୍ରୁଟି, ପଥର ଖସିବା ଭଳି ବିବାଦ ହୋଇଛି। ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ମଧ୍ୟ ଯାଇଛି। ତେବେ ଶ୍ରୀମନ୍ଦିର ସଂରକ୍ଷଣ କରୁଥିବା ଏଏସ୍‌ଆଇ ବିରୋଧରେ ଏଭଳି ଅଭିଯୋଗ ବାରମ୍ବାର ଆସୁଥିଲେ ବି ଏଏସ୍‌ଆଇ ଏହାକୁ ଗୁରୁତ୍ବ ଦେଉନାହିଁ। ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମୟରେ ବ‌ାହାରିଥିବା ପଥର ଓ ମୂର୍ତ୍ତି ସବୁ କେଉଁଠି ଅଛି ଓ ପୁରୀର କେଉଁ ସ୍ଥାନରେ ଏଏସ୍‌ଆଇ ଏହାର ସଂଗ୍ରହାଳୟ କରିଛି ତାହାର ଖବର କାହା ପାଖରେ ନାହିଁ। ଶ୍ରୀମନ୍ଦିର ସହିତ ମେଘନାଦ ପ୍ରାଚୀର ବେଢ଼ା ମଧ୍ୟରେ ଥିବା ୯୫ଟି ଛୋଟବଡ଼ ପ୍ରାଚୀନ ମନ୍ଦିରର କିଭଳି ରକ୍ଷଣାବେକ୍ଷଣ କରାଯାଉଛି ତା’ର ମଧ୍ୟ ହିସାବ ନାହିଁ।

ତଥ୍ୟ ମୁତାବକ, ୧୯୭୫ ଫେବ୍ରୁଆରି ୩ ତାରିଖରେ ଶ୍ରୀମନ୍ଦିରକୁ ନାସନାଲ ମନୁମେଣ୍ଟ( ଜାତୀୟ ଐତିହ୍ୟ) ଘୋଷଣା ହୋଇଥିଲା। ସେବେଠାରୁ ଏଏସ୍‌ଆଇ ଶ୍ରୀମନ୍ଦିର ଦ‌ାୟିତ୍ବରେ ଅଛି। ପରେ ୧୯୭୯ ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଏଏସ୍‌ଆଇ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବକ ମୁଖ୍ୟ ମନ୍ଦିର ସହିତ କୁର୍ମ ବେଢା ଓ ମେଘନାଦ ପ୍ରାଚୀର ମଧ୍ୟରେ ଥିବା ୯୫ ପାର୍ଶ୍ବ ମନ୍ଦିରର ରକ୍ଷଣାବେକ୍ଷଣ ମଧ୍ୟ ଏଏସ୍‌ଆଇକୁ ଦିଆଯାଇଥିଲା। ୧୯୭୮ରେ ମୁଖ୍ୟ ମନ୍ଦିରରୁ ଚୂନ ଛଡ଼ାଇବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହାକୁ ନେଇ ବିବାଦ ଉଠିଥିଲା। ହାଇକୋର୍ଟରେ ମାମଲା ହୋଇ ଏହା ଉପରେ ରହିତାଦେଶ ହୋଇଥିଲା। ପରେ ୧୯୮୬ରେ ସୁପ୍ରିମକୋର୍ଟ ରହିତାଦେଶ ଉଠାଇ ଦେଇଥିଲେ। ନିଷ୍ପତ୍ତିର ସାତ ବର୍ଷ ପରେ ଶ୍ରୀମନ୍ଦିରରୁ ଚୂନ ଛଡ଼ା ଆରମ୍ଭ ହୋଇଥିଲା। ମାତ୍ର ଚୂନ ଛଡା ଚାଲିଥିଲା ବେଳେ ୧୯୯୦ ଜୁନ ୧୪ରେ ୬ ଟନ ଓଜନର ଏକ ବିଶାଳ ପଥର ଅଁଳା ବେଢ଼ାରୁ ଖସିପଡିଥିଲା। ଅତୀତରେ ଏହିଭଳି ଅନେକ ବାଦ ବିବାଦ ସତ୍ତ୍ବେ ଏଏସ୍‌ଆଇ ଅନେକ ରକ୍ଷଣାବେକ୍ଷଣ କାମ କରିଛନ୍ତି। ମାତ୍ର ରକ୍ଷଣାବେକ୍ଷଣ ସମୟରେ ବାହାରୁଥିବା ମୂଲ୍ୟବାନ ତଥା ଦୁର୍ଲଭ ମୂର୍ତ୍ତି ଓ ପଥରର ସଂରକ୍ଷଣ କରାଯାଇ ନାହିଁ। ଏଏସ୍‌ଆଇ ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରିନାହିଁ।

The post ପୁରୀ ବିକାଶ ପାଇଁ ସରକାର ବ୍ୟଗ୍ର, ଏଏସ୍‌ଆଇ ଦେଉଛି ବାଧା! first appeared on Sambad.



from ଜିଲ୍ଲା – Sambad https://ift.tt/34J9R68