
କପ୍ତିପଦା/ଶାଳଚୁଆ : ‘ବନ କର୍ମଚାରୀମାନେ ତାଙ୍କୁ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି।’ ଶିମିଳିପାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଏହି ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଥାନା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ଫରେଷ୍ଟ ବିଟ୍ ହାଉସ୍ରେ ପଶି ଗାଁ ଭଙ୍ଗାରୁଜା କରିବା ସହ ଶବ ରଖି ବିକ୍ଷୋଭ କରିଛନ୍ତି।
କପ୍ତିପଦା ଥାନା ନଛିପୁର ଗ୍ରାମର ଗଜେନ୍ଦ୍ର ନାଏକ ନିଜର ଅନ୍ୟ ୨ ଜଣ ସାଥୀଙ୍କ ସହିତ ଗତ ୯ ତାରିଖରେ ଶିମିଳିପାଳ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ୩ ଦିନ ଯାଏ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏଭଳି ପରିସ୍ଥିତିରେ ହଠାତ ୧୨ ତାରିଖରେ ଗଜେନ୍ଦ୍ର ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ବନ ବିଭାଗ କର୍ମଚାରୀ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଘର ଲୋକେ ବାରିପଦାରେ ପହଞ୍ଚିଲା ବେଳକୁ ଗଜେନ୍ଦ୍ରଙ୍କର ଦରମରା ଅବସ୍ଥା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଗଜେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ରାତି ପ୍ରାୟ ୧୨ଟା ସମୟରେ ଗାଁରେ ପହଞ୍ଚିଥିଲା ମୃତଦେହ। ତେବେ ମୃତଦେହକୁ ଘରକୁ ନନେଇ ପରିବାର ଲୋକେ ଏବଂ ଗାଁ ଲୋକ କପ୍ତିପଦା ବନ ବିଭାଗ ଅଧୀନ ପୋଡାଡିହା ବିଟ୍ ହାଉସ୍ ସମ୍ମୁଖରେ ଶବ ରଖି ପ୍ରତିବାଦ କରିଥିଲେ। ବନବିଭାଗ କର୍ମଚାରୀଙ୍କ ମାଡ଼ରେ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିବା ସହ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।
ମଧ୍ୟରାତ୍ରିଠାରୁ ଶବ ରଖି ଆନ୍ଦୋଳନ କରୁଥିଲେ ବି ଆଜି ଦିନ ୧୦ଟା ଯାଏ କେହି ଜଣେ ଅଧିକାରୀ ପହଞ୍ଚି ନ ଥିଲେ। ଧୀରେଧୀରେ ଉତ୍ତେଜନା ବଢ଼ିବା ସହ ଦିନ ପ୍ରାୟ ୧୨ଟା ବେଳକୁ ଉତ୍ତ୍ୟକ୍ତ ଲୋକେ ବିଟ୍ ହାଉସ୍ ଭିତରକୁ ପଶି ଚେୟାର, ଟେବୁଲ ଭଙ୍ଗାରୁଜା କରିବା ସହିତ ତମ୍ବିତୋଫାନ କରିଥିଲେ। ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ବନ ଅଧିକାରୀଙ୍କ ସହ ଆଲୋଚନା ପରେ ମୃତକଙ୍କ ପତ୍ନୀ ବିନୋଦିନୀଙ୍କୁ ବନ ବିଭାଗରେ ଚାକିରି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
The post ଶିମିଳିପାଳରୁ ଯୁବକଙ୍କ ମୃତଦେହ ଜବତ ପରେ ଅଭିଯୋଗ : ବନ କର୍ମଚାରୀ ପିଟିପିଟି ହତ୍ୟା କରିଛନ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/3ooZlIG
0 Comments