ପୁରୀ : ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ସିଂହଦ୍ବାର ଆଗରେ ପ୍ରତିବାଦ ଜଣାଇଛି ଶ୍ରୀଜଗନ୍ନାଥ ସେନା। ବେଳାଭୂମି, ସ୍ବର୍ଗଦ୍ବାର ଆଦି କଟକଣାମୁକ୍ତ ହୋଇଥିବାବେଳେ ଶ୍ରୀମନ୍ଦିରକୁ ବି କଟକଣାମୁକ୍ତ କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି। ଭକ୍ତମାନେ ଯେପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ସହ ନାଗାର୍ଜୁନ ବେଶ ଦେଖିପାରିବେ, ତାର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଏହି ଦାବିରେ ସଂଗଠନ ପକ୍ଷରୁ ଆଜି ସିଂହଦ୍ବାରରେ ଦୀପଦାନ କରାଯାଇଛି। ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ପୁରୀରେ ସବୁକିଛି କଟକଣାମୁକ୍ତ କରାଯାଇଛି। କିନ୍ତୁ ଶ୍ରୀମନ୍ଦିର ଖୋଲା ନଯିବା ଭକ୍ତଙ୍କ ମନକୁ ଆଘାତ ଦେଇଛି। ଯଦି ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶର ଅନୁମତି ମିଳୁନି, ତେବେ କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବାହାର ବେଢ଼ା ପରିକ୍ରମା କରିବାର ସୁଯୋଗ ମିଳୁ। ସ୍ବତନ୍ତ୍ର ବ୍ୟବସ୍ଥା କରି ଅରୁଣ ସ୍ତମ୍ଭରୁ ପତିତପାବନଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳୁ। ଯଦି ମୁଖ୍ୟମନ୍ତ୍ରୀ ବେଢ଼ା ପରିକ୍ରମା କରି ପାରୁଛନ୍ତି, କେନ୍ଦ୍ର ମନ୍ତ୍ରୀ ଅରୁଣ ସ୍ତମ୍ଭରୁ ମହାପ୍ରଭୁଙ୍କୁ ଦର୍ଶନ କରି ପାରୁଛନ୍ତି, ତେବେ ଭକ୍ତଙ୍କୁ ବି ଏହି ସୁବିଧା ମିଳୁ। ୨୬ ବର୍ଷ ପରେ ପଡ଼ୁଥିବା ନାଗାର୍ଜୁନ ବେଶ ଦର୍ଶନର ବ୍ୟବସ୍ଥା କରାଯାଉ। ନଚେତ୍‌ ଶ୍ରୀଜଗନ୍ନାଥ ସେନା ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ। ୨୪ ଘଣ୍ଟା ଭିତରେ ଏହା ଉପରେ ନିଷ୍ପତ୍ତି ନ ନେଲେ ଶ୍ରୀଜଗନ୍ନାଥ ସେନା ବନ୍ଦ ଡାକରା ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

The post ଶ୍ରୀମନ୍ଦିର ଖୋଲିବା ଦାବିରେ ଦୀପଦାନ first appeared on Sambad.



from ଜିଲ୍ଲା – Sambad https://ift.tt/3kym82M