
କଟକ : ରାଜ୍ୟର ସମସ୍ତ ଟ୍ରେଜେରିକୁ ଆସୁଥିବା ଜନସାଧାରଣଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିବ। ଟ୍ରେଜେରିକୁ ଆସୁଥିବା ଲୋକମାନେ ଅପେକ୍ଷା କରି ରହୁଥିବା ସ୍ଥାନରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରସଂଗରେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଅର୍ଥ ବିଭାଗ ପକ୍ଷରୁ ଟ୍ରେଜେରି ଓ ଇନ୍ସପେକ୍ସନ୍ ନିର୍ଦ୍ଦେଶକଙ୍କୁ ଆଦେଶ ଦିଆଯାଇଛି। ଏହି ପ୍ରସଂଗ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ସଭାପତି ଆଇନଜୀବୀ ଅଜୟ ମହାନ୍ତି ସରକାରଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗପତ୍ର ଆଧାରରେ ଅର୍ଥ ବିଭାଗ ପକ୍ଷରୁ ଏପରି ରିପୋର୍ଟ ତଲବ କରାଯାଇଛି। ଏପରି ରିପୋର୍ଟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶକଙ୍କୁ କୁହାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ ଯେ କଟକ ଜିଲ୍ଲା ଟ୍ରେଜେରିକୁ ଆସୁଥିବା ଜନସାଧାରଣଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁନାହିଁ। ଏ ନେଇ ଅନୁଷ୍ଠାନ ପକ୍ଷରୁ ଟ୍ରେଜେରି ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ୨୦୧୯ରେ ଜିଲ୍ଲା ଟ୍ରେଜେରି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗତ ଜାନୁଆରି ୨୧ରେ ଅର୍ଥ ସଚିବଙ୍କୁ ଏ ନେଇ ଅବଗତ କରାଯାଇଥିଲା। ଟ୍ରେଜେରିକୁ ଆସୁଥିବା ଲୋକଙ୍କ ଗାଡ଼ି ରଖିବାକୁ ପାର୍କିଂ ସ୍ଥାନ, ପିଇବା ପାଣି, ପରିସ୍ରାଗାର, ବରିଷ୍ଠ ନାଗରିକଙ୍କ ବସିବା ପାଇଁ ଉପଯୁକ୍ତ ସ୍ଥାନ ବ୍ୟବସ୍ଥା ପାଇଁ ଦାବି କରାଯାଇଥିଲା। ଅର୍ଥ ବିଭାଗର ଏହି ପ୍ରସଂଗରେ ରିପୋର୍ଟ ତଲବ ପରେ ଟ୍ରେଜେରିକୁ ଆସୁଥିବା ଲୋକମାନଙ୍କୁ ଖୁବ୍ ଶୀଘ୍ର ମୌଳିକ ସୁବିଧା ମିଳି ପାରିବ ବୋଲି ଆଶା ପ୍ରକାଶ ପାଇଛି।
from ଜିଲ୍ଲା – Sambad https://ift.tt/2GEbF6v
0 Comments