ପାତ୍ରପୁର : ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା, ବୁରାତାଲ୍ ଓ ଆଙ୍କୁଲି ଆଦିବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଯେଉଁଠି ଦେଖିଲେ ଜଳବନ୍ଦୀ। ଏଭଳି ପରିସ୍ଥିତିରେ ଆଜି ରୋଗିଣା ଦେଢ଼ବର୍ଷର ପୁଅ ପାଇଁ ଔଷଧ ଆଣିବାକୁ ବାପା ଉଛୁଳା ମହେନ୍ଦ୍ରତନୟା ନଦୀ ପାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ତୁମ୍ବା ପଞ୍ଚାୟତ ବାବନାସାହି ଗ୍ରାମର ଗଣେଶ କାର୍ଜୀଙ୍କ ଦେଢ଼ବର୍ଷର ପୁଅ କିଡନିଜନିତ ରୋଗରେ ଆକ୍ରାନ୍ତ। ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ କଟକ ଶିଶୁଭବନରେ ପୁଅର ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଗତକାଲି ରାତିରେ ତା’ର ଦେହ ହଠାତ୍ ଅସୁସ୍ଥ ହୋଇଥିଲା। ଏଭଳି ପରିସ୍ଥିତିରେ ଔଷଧ ବି ସରିଯାଇଥିବାରୁ ବାପା ଗଣେଶ ଚିନ୍ତାରେ ପଡ଼ିଥିଲେ। ତୁମ୍ବା ଆସିବା ଲାଗି ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଚାରିଦିନ ଧରି ଲଗାଣ ବର୍ଷା ଯୋଗୁଁ ପାହାଡ଼ ପାଦଦେଶରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ ବି ଉଛୁଳୁଥିଲା। ଏଭଳି ପରିସ୍ଥିତିରେ ସାହସିକତାର ସହ ଅଣ୍ଟାଏ ଉପରେ ପାଣିରେ ଗଣେଶ ନଦୀ ପହଁରି ତୁମ୍ବାରେ ପହଞ୍ଚିଥିଲେ ଏବଂ ଔଷଧ କିଣି ପୁଣି ଗାଁକୁ ଫେରିଥିଲେ। ଦିନେ ଦୁଇ ଦିନ ଭିତରେ ପାଣି କମିଲେ ପିଲାକୁ ଧରି ଡାକ୍ତରଖାନାକୁ ଯିବି ବୋଲି ଗଣେଶ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରାସନ୍ ସାମଗ୍ରୀ ବି ଆଣିବାକୁ ଲୋକେ ସାହସ ଜୁଟାଇ ପାରୁନାହାନ୍ତି। ହେଲେ ଗଣେଶଙ୍କ ଏଭଳି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

ଅନ୍ୟପକ୍ଷରେ ନଦୀ ସେ ପାରରେ ଥିବା ବାବନାସାହି, ବାଲିଗାଁ, ରାଇଗଡ଼ ଓ ତାବୁଡ଼ିଆ ପ୍ରମୁଖ ଚାରି ଗ୍ରାମର ଲୋକେ ଏବେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ମହେନ୍ଦ୍ରତନୟା ନଦୀ ଉପରେ ବିଜୁ ସେତୁ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ତାହା କଚ୍ଛପ ଗତିରେ ଚାଲିଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ ସରିଥିଲେ ମଧ୍ୟ ଏବେ ତାହା ମରଣଯନ୍ତା ପାଲଟିଛି। ବର୍ଷା ପରେ ସେତୁ କାମକୁ ତ୍ବରାନ୍ବିତ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

The post ଦେଢ଼ ବର୍ଷ ପୁଅର ଔଷଧ ପାଇଁ ଉଛୁଳା ନଦୀ ପାର ହେଲେ ବାପା first appeared on Sambad.



from ଜିଲ୍ଲା – Sambad https://ift.tt/3nUznN9