
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଆଜି ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଟ୍ରାନ୍ସଫର ପିଟିସନ ମାମଲାର ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ହୋଇଛି। ପଟିଆଲା ହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ବାରା ଦାଖଲ ହୋଇଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଉଭୟପକ୍ଷ ମଧ୍ୟରେ ସହମତିଭିତ୍ତିକ ଆଲୋଚନା ଓ ସମାଧାନ ପାଇଁ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଏହି ବିବାଦର ସମାଧାନ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୧୬ ତାରିଖରେ ଅନୁଭବଙ୍କ ଦ୍ବାରା ଦାଖଲ ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏକ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା।
ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଯେଉଁ ମାମଲା ଦାୟର କରିଛନ୍ତି, ତାକୁ ବିଭିନ୍ନ କାରଣରୁ ସେଠାକୁ ଯାଇ ସମ୍ମୁଖୀନ ହେବା ସମ୍ଭବ ନୁହେଁ ବୋଲି ବର୍ଷା ଟ୍ରାନ୍ସଫର ପିଟିସନରେ ଦର୍ଶାଇଥିଲେ। ବର୍ଷା ଦର୍ଶାଇଥିଲେ ଯେ ତାଙ୍କ ଭାଇ ନାହାନ୍ତି, ତାଙ୍କ ଅସୁସ୍ଥ ମା’, ବଡ଼ ଭଉଣୀଙ୍କ ପାଖରେ ରହି ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଅନୁଭବ ଏକ କ୍ୟାଭିଏଟ ପିଟିସନ ଦାଖଲ କରି ତାଙ୍କର ପକ୍ଷ ରଖିବା ପୂର୍ବରୁ ଏହି ମାମଲାକୁ ସ୍ଥାନାନ୍ତର ନ କରିବାକୁ ପ୍ରାର୍ଥନା କରିଥିଲେ।
The post ପଟିଆଲା ହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ବାରା ହୋଇଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ first appeared on Sambad.
from ଜିଲ୍ଲା – Sambad https://ift.tt/3j1az2b
0 Comments