
ଚୌଦ୍ବାର: ଅସଲି ସୁନା ଦେଖାଇ ନକଲି ସୁନା ଦେବା ଘଟଣାରେ ପୁଲିସ୍ ଏକ ରାକେଟରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଏହି ରାକେଟରେ ମୁଖ୍ୟ କାର୍ପଟଦାର ଶସ୍ତାରେ ସୁନା ଦେବାକୁ କହି ସୁନା ଇଟା ଦେଇଥିବା ବେଳେ ତାହାକୁ କିଣି ଥିବା ଜଣେ ବ୍ୟକ୍ତି ଘରେ ପରୀକ୍ଷା କରିବାରୁ ତାହା ନକଲି ବୋଲି ଜଣା ପଡ଼ିଥିଲା। ସୂଚନାଯୋଗ୍ୟ, ଚୌଦ୍ବାର ଗ୍ରାମ ନବଗ୍ରହ ସାହିର ସୁଜିତ୍ କୁମାର ମହାରଣାଙ୍କୁ ଗତ ୨୬ ତାରିଖ ଦିନ ସ୍ଥାନୀୟ ଗାନ୍ଧିଛକ ଠାରେ ଚୌଦ୍ବାର ଗ୍ରାମ ତଳବଜାର ସିତୁ ଓରଫ୍ ବିଜୟ ବେହେରା (୨୨) ଅସଲି ସୁନା ଦେବାକୁ କହି ପ୍ରଲୋଭିତ କରିଥିଲା।
ପ୍ରଥମେ ଅସଲି ସୁନା ଦେଖାଇ ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ନକଲି ସୁନା କାରବାର କରାଯାଇଥିଲା । ୯୦୦ ଗ୍ରାମର ସୁନା ଇଟା ୫ଲକ୍ଷ ଟଙ୍କା ବିନିମୟରେ ସୁଜିତ୍ କ୍ରୟ କରିବା ପରେ ଘରକୁ ଆସି ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଏହା ନକଲି ସୁନା ବୋଲି ଜଣାପଡ଼ିଥିଲା। ଠକାମିର ଶିକାର ହେବା ପରେ ସୁଜିତ୍ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏହି ସୁନା ରାକେଟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଛି ।
ଏହି ଘଟଣାରେ ବିହାର ସମସ୍ତିପୁର ଜିଲ୍ଲାର ବାସିନ୍ଦା ଓଟିଏମ୍ କଲୋନୀ ୮ ନଂ. ୱାର୍ଡ଼ରେ ରହୁଥିବା ସଂଗ୍ରାମ ମାହତୋକୁ ଗିରଫ୍ କରାଯାଇଛି। ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ଚଢାଉ କରାଯିବା ସହିତ ସିତୁ ଓରଫ୍ ବିଜୟ ବେହେରା ଓ ସଂଗ୍ରାମଙ୍କ ଠାରୁ ୧ଲକ୍ଷ ୪୫ ହଜାର ଟଙ୍କା, ୨ଟି ମୋବାଇଲ ଓ ୯୦୦ ଗ୍ରାମ ନକଲି ସୁନା ଜବତ କରାଯାଇଛି ।
The post ଚୌଦ୍ବାରରେ ନକଲି ସୁନା ଇଟା କାରବାର: ଦୁଇ ଗିରଫ, ୧ଲକ୍ଷ ୪୫ ହଜାର ଟଙ୍କା ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/2TMkMWp
0 Comments