ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍‌ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମ ସନ୍ନିକଟ ଧାନକ୍ଷେତରେ ଜଣେ ବ୍ୟକ୍ତିଙ୍କୁ ଅଜ୍ଞାତ ମୁଖାଧାରୀ ଦୁର୍ବୃତ୍ତ ନିର୍ମମ ହତ୍ୟା କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ଅପ୍ରତ୍ୟାଶିତ ଭାବେ ଅଜଣା ଦୁର୍ବୃତ୍ତ ମାନେ ତାମାଙ୍ଗି ଗ୍ରାମ ଉପର ସାହି ନିବାସୀ ପନ୍ଦର ମଲ୍ଲିକ(୬୨)ଙ୍କୁ ଗ୍ରାମ ସନ୍ନିକଟ ଦାଇଗୋଡ଼ାର ଏକ ଧାନକ୍ଷେତରେ ମାରି ଦେଇଥିବା ଜଣାପଡ଼ିଛି। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଆଜି ଭୋର୍‌ବେଳେ ପନ୍ଦର ମଲ୍ଲିକ ଓ ପତ୍ନୀ ଡାକିନିଆଲୁ ମଲ୍ଲିକ ଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ନିଜ ଧାନ କ୍ଷେତକୁ ଯାଉଥିଲେ। ପନ୍ଦର ଆଗରେ ଆଗରେ ଚାଲୁଥିବା ବେଳେ ପତ୍ନୀ ଡାକିନିଆଲୁ ଟିକିଏ ଦୂରରେ ପଛରେ ଚାଲି ଯାଉଥିଲେ। ଜଙ୍ଗଲ ମଧ୍ୟରେ ଗଛବୁଦା ଉହାଡ଼ରେ ଛକି ରହିଥିବା କିଛି ମୁଖାଧାରୀ ଦୁର୍ବୃତ୍ତ ଅତର୍କିତ ପନ୍ଦରଙ୍କ ଉପରେ ଆକ୍ରମଣ କରି ହତ୍ୟା କରିବା ପରେ ସେଠାରୁ ଚାଲି ଯାଇଥିଲେ। ଏ ନେଇ ମୃତ ପନ୍ଦରଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

The post ଦାରିଙ୍ଗବାଡ଼ି : ଧାନ କ୍ଷେତରେ ହତ୍ୟା କଲେ ମୁଖାଧାରୀ first appeared on Sambad.



from ଜିଲ୍ଲା – Sambad https://ift.tt/37v6WPW