ଗୋରୁମହିଷାଣୀ : ଚାକିରି ପ୍ରଲୋଭନ ଦେଖାଇ ଦୁଇଜଣ ଯୁବତୀଙ୍କୁ ଜଣେ ଯୁବକ ମଧ୍ୟପ୍ରଦେଶରେ ବିକ୍ରି କରିଦେଇଥିଲେ। ଯୁବତୀଙ୍କ ପରିବାର ଲୋକ ଘଟଣା ବିଷୟରେ ଅଜ୍ଞ ଥିଲେ। ତେବେ ଝିଅଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଫଳରେ ପୁଲିସ ତଦନ୍ତ କରିବା ସହ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।

ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ନିକଟସ୍ଥ ଶୁଣ୍ଢଳ ଗ୍ରାମର ଝୁନୁ ବେହେରାଙ୍କ ଝିଅ ସଂଗୀତା ଏବଂ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମର ଜେମା ପ୍ରଧାନଙ୍କ ଝିଅ ତେଜଶ୍ରୀ ଗୋରୁମହିଷାଣୀ ଆଇଟିଆରେ ସିଲେଇ ତାଲିମ ନେଉଥିଲେ। ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ବାରିପଦା ଅଂଚଳର ଦୀପକ ନାମକ ଜଣେ ଯୁବକ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରାଇଦେବେ କହି ସଂଗୀତା ଓ ତେଜଶ୍ରୀଙ୍କୁ ବାରିପଦା ଡାକିଥିଲେ। ପରେ ସେ ସେମାନଙ୍କୁ ରାଉରକେଲା ବଦଳରେ ମଧ୍ୟପ୍ରଦେଶର ଗ୍ବାଲିୟରକୁ ନେଇଯାଇ ସେଓପୁର ସହରର ଜଣେ ଦଲାଲଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଇଥିଲେ।

ଜେମା ଝିଅକୁ ଦିଲ୍ଲୀ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ଯାଇଥିଲେ। ତେବେ କିଛିଦିନ ପରେ ସଂଗୀତା ଓ ତେଜଶ୍ରୀ ସହ ପରିବାର ଲୋକଙ୍କ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ତେଣୁ ବାଧ୍ୟହୋଇ ଝୁନୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ‌ସେହିପରି ଜେମା ମଧ୍ୟ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଲିଖିତ ଏତଲା ଦେଇଥିଲେ। ତଦନ୍ତ ଆରମ୍ଭ ହୋଇଥିଲା। ଗୋରୁମହିଷାଣୀ ପୁଲିସ ଯୁବତୀଙ୍କ ମୋବାଇଲ୍‌ ଟ୍ରାକ୍ କରି ସେମାନେ ସେଓପୁର ସହରରେ ଥିବା ଜାଣିବାକୁ ପାଇଥିଲା। ଫଳରେ ଥାନାଧିକାରୀ ପିକେ ସ୍ବାଇଁ, ମହିଳା କନ୍‌ଷ୍ଟେବଲ ସୁଜାତା ମହାନ୍ତ ଓ ଦାସ ହାଁସଦା ସେଓପୁର ଯାଇ ସ୍ଥାନୀୟ ପୁଲିସ ସହାୟତାରେ ସଂଗୀତା ଓ ତେଜଶ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଆଜି ଉଭୟଙ୍କ ଡାକ୍ତରୀ ମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଦଲାଲ ଦୀପକ ଫେରାର ଥିବା ଜଣାପଡ଼ିଛି।

The post ଅପହୃତା ୨ ଯୁବତୀ ଉଦ୍ଧାର; ମଧ୍ୟପ୍ରଦେଶର ସେଓପୁରରେ ବିକ୍ରି କରିଥିଲା ଦଲାଲ! first appeared on Sambad.



from ଜିଲ୍ଲା – Sambad https://ift.tt/37k6K66