
ବ୍ରହ୍ମପୁର : ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନା କ୍ୟାମ୍ପସ୍ରେ ଆଜି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ଗୋଟିଏ ଦିନରେ କ୍ୟାମ୍ପସ୍ ପରିସରର ଦୁଇ ପୃଥକ୍ ସ୍ଥାନରୁ ଦୁଇ ନବଜାତ ଶିଶୁ ଉଦ୍ଧାର ହୋଇଛନ୍ତି। ଗୋଟିଏ ଶିଶୁପୁତ୍ର ଜୀବିତ ଥିବାବେଳେ ଅନ୍ୟ ଶିଶୁଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ଜୀବିତ ଶିଶୁପୁତ୍ରକୁ ଚାଇଲ୍ଡଲାଇନ୍ ହେପାଜତରେ ବଡ଼ ଡାକ୍ତରଖାନା ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ଜଣାପଡ଼ିଛି।
ଆଜି ଭୋର୍ରେ ବଡ଼ ଡାକ୍ତରଖାନା ଖେଳ ପଡ଼ିଆ ସମ୍ମୁଖ ରାସ୍ତା ପାର୍ଶ୍ବ ବନ୍ଧ ହୁଡ଼ାରେ ଏକ ନବଜାତ ଶିଶୁପୁତ୍ର ପଡ଼ିଥିବା ଜଣେ ରିକ୍ସା ଚାଳକ ଦେଖିବାକୁ ପାଇଥିଲେ। ଶିଶୁଟି ଜୀବିତ ଥିବାରୁ ସେ ତୁରନ୍ତ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ କିଛି ଲୋକେ ଡାକ୍ତରଖାନାରେ ପହଞ୍ଚି ଶିଶୁକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପରେ ଚାଇଲ୍ଡଲାଇନ୍ ଟିମ୍ ଡାକ୍ତରଖାନାରେ ପହଞ୍ଚି ଶିଶୁପୁତ୍ରକୁ ନିଜ ହେପାଜତକୁ ନେଇଥିଲା।
ସେହିଭଳି ସକାଳେ ବଡ଼ଡାକ୍ତରଖାନା ପରିସରରେ ଥିବା ମାଂସ ଦୋକାନ ନିକଟ ନାଳରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶିଶୁର ମୃତ୍ୟୁ ଘଟିବା ପରେ ତାକୁ କେହି ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।
The post ଏମ୍କେସିଜି କ୍ୟାମ୍ପସ୍ରୁ ଦୁଇ ନବଜାତ ଶିଶୁ ଉଦ୍ଧାର, ଜଣେ ମୃତ, ଜଣେ ଜୀବିତ first appeared on Sambad.
from ଜିଲ୍ଲା – Sambad https://ift.tt/35mELQQ
0 Comments