
ରାଜନଗର: ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ଶେଷ ହୋଇଛି। ବାଜା,ବାଣ, ରୋଷଣି ବିନାଓ ବିନା ଭକ୍ତରେ ଏହି ପର୍ବ ଶେଷ ହୋଇଛି। ଜଗତଜନନୀ ମା’ ଦୁର୍ଗାଙ୍କୁ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଦଶମୀ ତିଥିରେ ବିସର୍ଜନ ଦିଆଯାଇଛି। ରାଜନଗର ଦେବୀଘରେ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ଶେଷହୋଇଛି। ପଣ୍ତିତ ବିଜୟ କୁମାର ନନ୍ଦ, ପଣ୍ତିତ ଶଙ୍କର୍ଷଣ ମିଶ୍ର, ପଣ୍ତିତ ରବିନାରାୟଣ ମିଶ୍ର, ଅଭୟ କୁମାର ମିଶ୍ର, ହର କୁମାର ମିଶ୍ର, ପ୍ରଦୀପ୍ତ ମିଶ୍ର, ପ୍ରମୋଦ ପାଣି ପ୍ରମୁଖ ପୂଜକ ମା’ଙ୍କ ପୂଜାନୀତି ସଂପାଦନ କରିଥିଲେ।
ଗୋପାଳମାନେ ମା’ଙ୍କୁ କାନ୍ଧରେ ହଂସୁଆ ନଦୀ ଯାଏ ନେଇଥିଲେ। ଗତ ଶହେ ବର୍ଷ ଧରି ରାଜନଗର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ସ୍ବତନ୍ତ୍ର ଓ ବିରଳ। ମା’ଙ୍କୁ ଗୋପାଳମାନେ କାନ୍ଧରେ ହଂସୁଆ ନଦୀ ପର୍ଯ୍ୟନ୍ତ ନେଇଥାନ୍ତି। ସୁସଜ୍ଜିତ ନୌକାରେ ମା’ଙ୍କୁ ବସାଇ ସାତଘେରା ବୁଲା ଯାଇଥାଏ। ସାତଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଦିଆଯିବା ସହ ବିସର୍ଜନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ମା’ଙ୍କୁ ନଦୀରେ ସାତଘେରା ନ ବୁଲାଇ ନଦୀ କୂଳରୁ ମେଲାଣି ଦିଆଯାଇଛି। ଯାହାକି ରାଜନଗରବାସୀ ଓ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି।
ରାଜନଗର ଗଳିଦାଣ୍ତର ମା’ ବନଦୁର୍ଗା, ସାନ ବଡ ଗୋପାଳପୁରର ମା’ଶାରଳା, ଜୁନୁସନଗର, ଇଶ୍ବରପୁର, ଓକିଲପାଳ, ତାଳଚୁଆ, ଘଡିଆମାଳଠାରେ ମୃଣ୍ମୟୀ ଦେବୀଙ୍କୁ ପୂଜାର୍ଚ୍ଚନା ସହିତ ଭସାଣି ଶେଷ ହୋଇଛି। କୋଭିଡ–୧୯ କଟକଣା ଯୋଗୁଁ ପରଦା ଭିତରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦର୍ଶନର ସୁଯୋଗ ଦିଆ ନ ଯିବାରୁ ସେମାନେ ନିରାଶ ହୋଇଛନ୍ତି। ରାଜନଗରର କେତେକ ସ୍ଥାନରେ ମୃଣ୍ମୟୀ ମୂର୍ତିଙ୍କ ଦର୍ଶନ କରିପାରୁଥିବା ବେଳେ ରାଜନଗର ଦେବୀଘରେ ମା’ଙ୍କ ଦର୍ଶନରୁ ଭକ୍ତମାନେ ବଂଚିତ ହୋଇଛନ୍ତି। ରାଜନଗରରେ ଅଧିକାଂଶ ପୂଜାମଣ୍ତପରେ ବିଧି ରକ୍ଷା ପାଇଁ କେବଳ କଳସ ପୂଜା କରାଯାଇଛି।
The post ଶହେବର୍ଷର ପରମ୍ପରା ଭାଙ୍ଗିଲା; ମେଲାଣି ବେଳେ ଚାପ ଖେଳି ପାରିଲେନି ମା’ first appeared on Sambad.
from ଜିଲ୍ଲା – Sambad https://ift.tt/3kAEq3h
0 Comments