ପୁରୀ : ପୁରୀ ହେବ ସ୍ବଚ୍ଛ ଐତିହ୍ୟ ସହର। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ନଭେମ୍ବର ପହିଲାରୁ ସ୍ବତନ୍ତ୍ର ଭାବେ ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ଅଭିଯାନ ପାଇଁ ଆଜି ଠିକାଦାର, ହୋଟେଲ ମାଲିକ, ସ୍ବଚ୍ଛ ସାଥୀମାନଙ୍କ ସହ ଜିଲ୍ଲାପାଳ ପ୍ରତ୍ୟକ୍ଷ ଆଲୋଚନା କରି ଅଭିଯାନକୁ ସଫଳ କରିବାକୁ ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁସାରେ, ପ୍ରତି ଘର, ସରକାରୀ, ବେସରାକାରୀ ଅନୁଷ୍ଠାନ ଏହି ସଂକଳ୍ପ ପତ୍ରରେ ଦସ୍ତଖତ କରିବା ସହ ନିଜ ପରିବେଶକୁ ସ୍ବଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ଏହି ସଂକଳ୍ପ ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଏହି ଉପଲକ୍ଷେ ଆଜି ଟାଉନ୍‌ ହଲ୍‌ଠାରେ ଠିକାଦାର, ଠିକା ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଅଭିଯାନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପାୱାର ପଏଣ୍ଟ ମାଧ୍ୟମରେ ଅଭିଯାନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ପରେ ନୀଳାଦ୍ରି ବିଚ୍‌ ଠାରେ ହୋଟେଲ୍‌ ମାଲିକମାନଙ୍କ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମସ୍ତଙ୍କୁ ପ୍ଲାଷ୍ଟିକ୍‌ ବର୍ଜନ ସହ ପରିଚ୍ଛନ୍ନତାକୁ ସଂକଳ୍ପ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। କେହି ବି ନିଜ ଆବର୍ଜନା ଏଣେତେଣେ ନ ଫିଙ୍ଗିବାକୁ ପରାମର୍ଶ ଦେଇଥିଲେ। ଯାହା ଦ୍ବାରା କେବଳ ପରିଚ୍ଛନ୍ନତା ଫେରିବନି, ସହରବାସୀ ସ୍ବାସ୍ଥ୍ୟକର ପରିବେଶ ପାଇବେ ବୋଲି ଜିଲ୍ଲାପାଳ କହିଥିଲେ। ଆସନ୍ତା ନଭେମ୍ବର ୧୩ ତାରିଖରେ ‘ଆୟୁର୍ବେଦ ଦିବସ’ ପଡ଼ୁଥିବାବେଳେ ଏହି ଦିନ ମେଗା ଯୋଗ ଶିବିର ଆୟୋଜନ ହେବାକୁ ଯାଉଛି। ଏଥିରେ ସକ୍ରିୟ ଅଂଶଗ୍ରହଣ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

The post ପୁରୀରେ ଆରମ୍ଭ ହେବ ‘ମୋ ଧାମ, ମୋ ଗର୍ବ’ ଅଭିଯାନ first appeared on Sambad.



from ଜିଲ୍ଲା – Sambad https://ift.tt/2Hyn9ct