ଅନୁଗୁଳ : ପ୍ରେମ କରି ଅଜାତିରେ ବିବାହ କଲା ଝିଅ। ବାପାକୁ ମିଳିଲା ୫୦ହଜାର ଆର୍ଥିକ ଦଣ୍ଡ। ଝିଅର ରୋଗୀଣା ବାପା ଏତେ ଟଙ୍କା ଦେବାକୁ ନିଜର ଅସହାୟତା ପ୍ରକାଶ କଲେ ବୋଲି ଗାଁରୁ ସେ ହେଲେ ବାସନ୍ଦ। ତାଙ୍କ ପାଇଁ ନିଆଁ, ପାଣି ହେଲା ବନ୍ଦ। ଇଏ କେବଳ ବିବାହ ପ୍ରସଙ୍ଗ ନୁହେଁ, ବାହାରେ ରହି ଚାକିରି କରୁଥିବା ଲୋକ ଗାଁକୁ ଆସିନପାରିଲେ, ଚାନ୍ଦା ଦେଇ ନ ପାରିଲେ, ଟିକିଏ ସରକାରୀ ଜମି ମାଡ଼ି ଘର କରିଥିଲେ, ଗାଁ ସଭାକୁ ଆସି ନ ପାରିଲେ ଭଳି ଛୋଟ ବଡ଼ ଘଟଣାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ସାନ୍ତରାପୁର(କ) ଗାଁରେ ଏମିତି ଦଣ୍ଡବିଧାନ କରାଯାଉଛି।

ଲିଖିତ ଅଭିଯୋଗ ମୁତାବକ, ଗାଁ ବାସିନ୍ଦା ନୀଳକଣ୍ଠ ନାଏକ। ସେ କିଛି ଦିନ ହେଲା ଗ୍ରାମରେ ରହୁନାହାନ୍ତି। ଅନୁଗୁଳରେ ଘର କରି ରହିଲେଣି। ସେ ଗାଁରେ ଚାନ୍ଦା ନ ଦେବାରୁ ତାଙ୍କ ବିରୋଧରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଗଲା। ତାଙ୍କୁ ବାସନ୍ଦ ଘୋଷଣା କରି କୌଣସି ବ୍ୟକ୍ତି ତାଙ୍କର କୌଣସି କାମ ନ କରିବାକୁ କୁହାଗଲା। ଏମିତିକି, ଶ୍ରୀ ନାଏକଙ୍କର ଆମ୍ବ ବଗିଚା ଜଗୁଥିବା ବ୍ୟକ୍ତିଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ ହେଲା। ଭାଗରେ ତାଙ୍କର ଜମି ଧରୁଥିବା ଲୋକଙ୍କୁ ଚାଷ କରିବାକୁ ମନା କରାଗଲା। ସେହିପରି ଗାଁର ବିଜୟ ଦାସ ବାହାରେ ଚାକିରି କରୁଛନ୍ତି। ସେ ଗ୍ରାମସଭାରେ ଉପସ୍ଥିତ ହେଲେ ନାହିଁ ବୋଲି ତାଙ୍କୁ ଗାଁରୁ ଅଲଗା କରାଯାଇଛି। ପଞ୍ଚାୟତର ପୂର୍ବତନ ସରପଞ୍ଚ କଳ୍ପତରୁ ଦାସ ସମାନ କାରଣ ପାଇଁ ଦଣ୍ଡିତ ହୋଇଛନ୍ତି। ଗ୍ରାମସଭାରେ ଉପସ୍ଥିତ କାହିଁକି ହେଲେ ନାହିଁ ବୋଲି ତାଙ୍କୁ ଓ ତାଙ୍କ ପୁଅକୁ ବାସନ୍ଦ ଦଣ୍ଡ ମିଳିଥିବା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।

The post ଅଜାତିରେ ବାହାହେବାରୁ ନିଆଁ, ପାଣି ବନ୍ଦ! first appeared on Sambad.



from ଜିଲ୍ଲା – Sambad https://ift.tt/31AODFl