ପୁରୀ: ସର୍ବସାଧାରଣ ତଥା ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସଂପର୍କରେ ଚାଲିଥିବା ବିଚାରବିମର୍ଶ ଆଜି ତୃତୀୟ ଦିନରେ ପହଞ୍ଚିଛି। ଛତିଶାନିଯୋଗର ଛଅ ନିଯୋଗ ଆଜି ଏ ସଂପର୍କରେ ମୁଖ୍ୟ ପ୍ରଶାସକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏଥିରେ ପରିଚାଳନା କମିଟି ସଦସ୍ୟମାନେ ବି ଅଂଶଗ୍ରହଣ କରିଥିଲେ। ଶ୍ରୀମନ୍ଦିର ଖୋଲାଯିବା ଉପରେ ସମସ୍ତ ନିଯୋଗର ମତାମତ ନିଆଯାଇଥିଲା। ଅନ୍ୟପଟେ ଶେଷ ଦୁଇଦିନ ସହରର ବୁଦ୍ଧିଜୀବୀ, ସରକାରୀ ତଥା ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀମାନଙ୍କ ଏହା ଉପରେ ମତାମତ ସଂଗ୍ରହ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ତୃତୀୟ ଦିନର ଆଲୋଚନା ପର୍ବ ପୂର୍ବାହ୍ଣ ୧ଟାରୁ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ଭୁବନେଶ୍ବରରୁ ରହି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତାମତ ସଂଗ୍ରହ କରିଥିଲେ। ସୁଆରବଡ଼ୁ ନିଯୋଗ, ପତ୍ରିବଡ଼ୁ ନିଯୋଗ, ହଡ଼ପ ନାୟକ, ମେକାପ, ଦତ୍ତମହାପାତ୍ର, ବିଡ଼ୁଆ, ପନ୍ତିବଡ଼ୁ, ବେହେରା, ପ୍ରଧାନୀ ନିଯୋଗ ସମେତ ବରିଷ୍ଠ ସେବାୟତମାନେ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ବ କଥା ବି ସମସ୍ତେ ଦୋହରାଇଥିଲେ। କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରକୁ କଟକଣା ଭିତରେ ଖୋଲିବା ଉପରେ ମତ ରଖିଥିଲେ। ଆସନ୍ତାକାଲି ବି ଆଲୋଚନା ଜାରି ରହିବ। ଦଇତାପତି, ଶୁଦ୍ଧ ସୁଆର, ମୁଦୁଲି, ମହାସୁଆର, ପାଣିଆପଟ, ଅଖଣ୍ଡ, ଚୁନରା ନିଯୋଗ ଆସନ୍ତାକାଲିର ଆଲୋଚନାରେ ଅଂଶଗ୍ରହଣ କରିବେ। ଶେଷ ଦୁଇଦିନ ଅର୍ଥାତ୍‌ ୧୪ ଓ ୧୫ ତାରିଖରେ ସର୍ବସାଧାରଣଙ୍କ ମତାମତ ନିଆଯିବ। ଭିଡିଓ କନ୍‌ଫରେନ୍ସିଂରେ ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ନିଜସ୍ବ ମତ ରଖିପାରିବେ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବେ।

The post ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ: ଆଲୋଚନାରେ ଭାଗନେଲେ ୬ ନିଯୋଗ first appeared on Sambad.



from ଜିଲ୍ଲା – Sambad https://ift.tt/2H0lmwo