ଘୁ.ଉଦୟଗିରି : କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାରେ ରହିଛି କଳିଙ୍ଗା ଘାଟି। ୧୦କିମି. ପରିବ୍ୟାପ୍ତ ଏହି ଘାଟି ସୁଉଚ୍ଚ ପାହାଡ଼, ଘଞ୍ଚ ଜଙ୍ଗଲ, କୁଳୁକୁଳୁ ନିନାଦିତ ଝରଣା, ସର୍ପ ଦେହାକୃତ ସୁନ୍ଦର ରାସ୍ତାର ସମ୍ଭାର। ଗୋଟିଏ ପାଖରେ ପାହାଡ଼ ରହିଥିବା ବେଳେ ଅନ୍ୟ ପାଖରେ ଗର୍ତ୍ତ। ସେମିତି, କଳିଙ୍ଗା ଘାଟିରୁ ଭଞ୍ଜନଗର ରସୁଲକୁଣ୍ଡା ଘାଇ ଦେଖା ଯାଉଥିବା ବେଳେ ଏଠାରେ ସୂର୍ଯ୍ୟ ଉଦୟ ଏବଂ ସୁର୍ଯ୍ୟାସ୍ତ ବେଳର ଦୃଶ୍ୟ ଅତ୍ୟନ୍ତ ମନୋରମ। ସ୍ଥାନେ ସ୍ଥାନେ ପାହାଡ଼ ଉପରୁ ତଳକୁ ଝରଣା ପାଣି ବହି ଯାଉଥିବା ଦୃଶ୍ୟ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ, ଯେ କେହି ବି କଳିଙ୍ଗା ଘାଟି ଦେଇ ଯାତାୟାତ କରିଥାନ୍ତି, କିଛି ସମୟ କଳିଙ୍ଗା ଘାଟିରେ ସ୍ଥାନେ ସ୍ଥାନେ ରହିଯାଆନ୍ତି ଓ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଭୁଲି ନଥାନ୍ତି।

କିନ୍ତୁ, ବିଡ଼ମ୍ବନାର ବିଷୟ, ଘାଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତ, ହେଲେ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଏହା ଯେମିତି ରହିଯାଇଛି। ଘାଟିରେ ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ, ଆକର୍ଷଣୀୟ ସ୍ଥାନ ଗୁଡିକରେ ଗାଡ଼ି ପାର୍କିଂ ବ୍ୟବସ୍ଥା, ବିଶ୍ରାମ ନିମନ୍ତେ କଟେଜ୍‌ ନିର୍ମାଣ, ହୋଟେଲ୍‌ର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ନିମନ୍ତେ କଳିଙ୍ଗା ଘାଟିର ବିବରଣୀ ସୂଚନା ଫଳକ ମାଧ୍ୟମରେ ଜଣେଇବାର ଆବଶ୍ୟକତା ରହିଛି। କଳିଙ୍ଗା ଘାଟି ସମୁଦ୍ର ପତ୍ତନ ଠାରୁ କେତେ ଫୁଟ ଉଚ୍ଚତାରେ ରହିଛି, କେତେ କିମି. ଜଙ୍ଗଲ ରହିଛି, ଏହି ଜଙ୍ଗଲରେ କେଉଁ କେଉଁ ଗଛ ରହିଛି, କେଉଁ କେଉଁ ଜୀବଜନ୍ତୁ ଏଠାରେ ଦେଖିବାକୁ ମିଳନ୍ତି, କେତେ ଉଚ୍ଚତାର ପାହାଡ଼ ପର୍ବତ ରହିଛି, ପନ୍ୟ ପର୍ଯ୍ୟଟନସ୍ଥଳୀ କ’ଣ ରହିଛି ତା’ର ବିବରଣୀ ପ୍ରଦାନ କରିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବଣଭୋଜି ନିମନ୍ତେ ବିଭିନ୍ନ ସ୍ଥାନ ନିରୂପଣର ବ୍ୟବସ୍ଥା ଭଳି ତଥ୍ୟ ପ୍ରଦାନ କରାଗଲେ ଆଗାମୀ ଦିନରେ ବହୁ ପର୍ଯ୍ୟଟକ କଳିଙ୍ଗା ଘାଟି ପ୍ରତି ଆକୃଷ୍ଟ ହୋଇ ବୁଲିବାକୁ ଆସିବେ ବୋଲି ମତପ୍ରକାଶ ପାଇଛି।

tourmyindia.com

କେବଳ ଯେ କଳିଙ୍ଗା ଘାଟି ତା’ ନୁହେଁ କଳିଙ୍ଗା ଠାରେ ଥିବା ଝାଉଁ ବଣ, ବଟାନିକାଲ୍‌ ଗାର୍ଡ଼େନ୍‌, ଘୁ.ଉଦୟଗିରି ସିର୍କୀ ଡ୍ୟାମ୍‌, କଫି ବଗିଚା, ରାଜାଗାଡ଼ା ଜଳପ୍ରପାତ, କାକଲବାଗୀ ଜଳପ୍ରପାତ ବୁଲି ପର୍ଯ୍ୟଟକ ମଜା ଉଠାଇ ପାରିବେ। ଏଣୁ, ଏହି ସବୁ ସ୍ଥାନକୁ ନେଇ ଇକୋ ଟୁରିଜିମ୍‌ ଘୋଷଣା କରାଯାଇ ଏବଂ ସେ ସବୁ ସ୍ଥାନର ଉନ୍ନତି କରିବା ନିମନ୍ତେ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

The post କଳିଙ୍ଗା ଘାଟିର ଅନୁପମ ସୌନ୍ଦର୍ଯ୍ୟ : ଦର୍ଶକ ବିମୋହିତ, ଇକୋ ଟୁରିଜମ୍‌ ଘୋଷଣା ଦାବି first appeared on Sambad.



from ଜିଲ୍ଲା – Sambad https://ift.tt/35Fqwqn