
ବଲାଙ୍ଗୀର: ମହାମାରୀ କରୋନା ବହୁ ବ୍ୟବସାୟକୁ ପ୍ରଭାବିତ କରିଛି । ଗତ ମାର୍ଚ୍ଚ ମାସରୁ ଏଯାଏ ବିଭିନ୍ନ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଶତାଧିକ ସଂଖ୍ୟାରେ ବସ୍ ଏବେ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଛି । ଚକ ବି ହଲୁନି । କାରଣ ଯାତ୍ରୀ ନାହାନ୍ତି। ଯେଉଁ କିଛି ବସ୍ ଚାଲୁଛି ସେସବୁ କ୍ଷତିରେ ଚାଲୁଛି । ବଲାଙ୍ଗୀରରେ ସମୁଦାୟ ୧୫୦ ବସ୍ରୁ ମାତ୍ର ୩୦ରୁ ୩୫ଟି ବସ୍ ଏବେ ବିଭିନ୍ନ ମାର୍ଗରେ ଚଳାଚଳ କରୁଛି ।
ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ୧୨୦ ବସ୍ ନିଜ ନିଜ ମାର୍ଗରେ ଚାଲି ପାରିନାହିଁ । ଯେଉଁ ୩୦ରୁ ୩୫ ଗାଡ଼ି ବାହାରିଛି ଗାଡ଼ି ମାଲିକମାନେ ତେଲ ଖର୍ଚ୍ଚ ବି ଉଠାଇ ପାରୁନାହାନ୍ତି । ମାସିକ ଗୋଟିଏ ବସ୍ ପିଛା ୬୦ ହଜାରରୁ ଅଧିକ ଟଙ୍କା ବସ୍ ମାଲିକ କ୍ଷତି ସହୁଛନ୍ତି । ଲକ୍ଡାଉନ୍ ପୂର୍ବରୁ ବଲାଙ୍ଗୀର-ସୋନପୁର, ବଲାଙ୍ଗୀର-ବରଗଡ, ବଲାଙ୍ଗୀର-କଣ୍ଟାବାଞ୍ଜି, ବଲାଙ୍ଗୀର-ଟିଟିଲାଗଡ ରୁଟରେ ପ୍ରତି ୧୫ରୁ୨୦ ମିନିଟରେ ବସ୍ ଚଳାଚଳ କରୁଥିଲା। ସେହି ମାର୍ଗମାନଙ୍କରେ ଏବେ ଘଣ୍ଟାଏ ଦୁଇ ଘଣ୍ଟା ବ୍ୟବଧାନରେ ବସ୍ ଚଳାଚଳ କରୁଥିଲେ ବି ଯାତ୍ରୀ ହେଉନାହାନ୍ତି। ଏଣୁ ପ୍ରତି ବସ୍ ପିଛା ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଗତ ଅକ୍ଟୋବରରୁ ଜାନୁଆରି ଯାଏ ସମସ୍ତ ବସ୍ର ଟିକସ ଛାଡ଼ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି ।
ମାର୍ଚ୍ଚ ମାସ ପରେ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମେ ୨୭ରୁ ବସ୍ ଚଳାଚଳ ପୁଣି ଆରମ୍ଭ ହୋଇଛି। କିନ୍ତୁ କରୋନା ପୂର୍ବରୁ ବସ୍କୁ ଯେଭଳି ଯାତ୍ରୀ ଅପେକ୍ଷା କରୁଥିଲେ ଏବେ କରୋନା କାଳରେ ବସ୍ ଯାତ୍ରୀଙ୍କୁ ଅପେକ୍ଷା କରୁଛି । ଜିଲ୍ଲାବ୍ୟାପୀ ପ୍ରାୟ ୧୦୦୦ ବସ୍ କର୍ମଚାରୀ ଏଥିରେ ପ୍ରଭାବିତ ବି ହୋଇଛନ୍ତି । ଏସବୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ପ୍ରଶାସନ ଓ ଜନସାଧାରଣ ବସ୍ ସେବା ପ୍ରତି ସହାନୁଭୂତିଶୀଳ ହେବାକୁ ବଲାଙ୍ଗୀର ଘରୋଇ ବସ୍ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା ନିବେଦନ କରିଛନ୍ତି ।
The post ବଲାଙ୍ଗୀର: ବସ୍ ବ୍ୟବସାୟକୁ କରୋନା ମାଡ଼! ଷ୍ଟାଣ୍ଡରେ ଅଟକିଛି ଶତାଧିକ ବସ୍ first appeared on Sambad.
from ଜିଲ୍ଲା – Sambad https://ift.tt/37e1z7L
0 Comments