
ବ୍ରହ୍ମପୁର : ଆଇପିଏଲ୍ କ୍ରିକେଟ୍ ଏବେ ପ୍ଲେ-ଅଫ୍ ନିକଟତର ହେଉଥିବା ବେଳେ ବ୍ରହ୍ମପୁରରେ କୋଟି କୋଟିର ବେଟିଂ ଚାଲିଥିବା ସୂଚନା ମିଳିଲା। ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର ନିଜେ ପାଇଥିବା ସୂଚନା ଆଧାରରେ ଚଢ଼ଉ କରିଏକ ବଡ଼ ଧରଣର ଆଇପିଏଲ୍ ବେଟିଂ ରାକେଟ୍ର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇଛନ୍ତି। ବେଟିଂ ରାକେଟ୍ ଚଳାଉଥିବା ଦୁଇଜଣ ପୁରୁଣା ବୁକିଙ୍କୁ ମଧ୍ୟ ପୁଲିସ ଅଟକ ରଖି ଜେରା କରୁଛି। ପୁଲିସ ସେମାନଙ୍କ ନିକଟରୁ ପ୍ରାୟ ୨୫ରୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜବତ କରିଥିବା କୁହାଯାଉଛି। କିନ୍ତୁ ପୁଲିସ ପକ୍ଷରୁ ଅଦ୍ୟାବଧି ନିର୍ଦ୍ଦିଷ୍ଟ ଭାବେ କିଛି ସ୍ପଷ୍ଟ କରା ଯାଇନାହିଁ।
ଆଇପିଏଲ୍ ଆରମ୍ଭ ହେବା ଦିନରୁ ପୁଲିସ ଏହି ଦୁଇ ପୁରୁଣା ବୁକିଙ୍କ ଉପରେ ନଜର ରଖିଥିଲା। ଗତକାଲି ପୁଲିସ ବୁକିଙ୍କ ଜରିଆରେ କାମ କରୁଥିବା କିଛି ଏଜେଣ୍ଟ୍ଙ୍କୁ ଉଠାଇଥିଲା। ଏମାନଙ୍କୁ ଜେରା କରିବା ପରେ ବ୍ରହ୍ମପୁରରେ ଚାଲିଥିବା ଏହି ଆଇପିଏଲ୍ ବେଟିଂ କାରବାର ଠାବ ହୋଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଆଜି ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍ ଗୋସାଇଁ ନୂଆଗାଁ ଅଞ୍ଚଳର ଜଣେ ନିର୍ଦ୍ଦିଷ୍ଟ ବୁକିଙ୍କ ଘରେ ଚଢ଼ଉ କରିଥିଲା। ବର୍ତ୍ତମାନ ଉଭୟ ବୁକି ପୁଲିସ କବ୍ଜାରେ। ଏମାନେ ବ୍ରହ୍ମପୁରରେ ରହି ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ତାଙ୍କର ରାକେଟ୍ ଚଳାଉଥିଲେ ବୋଲି ଜଣାପଡ଼ିଛି। ଏ ଦିଗରେ ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ ବିଶେଷ କିଛି ତଥ୍ୟ ଦେବା ପାଇଁ ମନା କରିଛି। ଆସନ୍ତାକାଲି ପୁଲିସ ଏହି ରାକେଟ୍ ସଂପର୍କରେ ଅଧିକ ତଥ୍ୟ ଦେବ ବୋଲି ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ଆସିକା ପୁଲିସ ବେଟିଂ କାରବାରରେ ସାମିଲ ଥିବା ୩ଜଣ ଏଜେଣ୍ଟ୍ଙ୍କୁ ଧରିଥିଲା। ସେମାନଙ୍କୁ ଜେରା ପରେ ରାକେଟ୍ର ଚେର ବ୍ରହ୍ମପୁର ଓ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା ନେଇ ଜଣା ପଡ଼ିଥିଲା। ଏହାପରେ ବ୍ରହ୍ମପୁର ଏସ୍ପିଙ୍କ ନେତୃତ୍ବରେ ଏକ ଟିମ୍ ଏ ଦିଗରେ ଖୋଳତାଡ଼ ଆରମ୍ଭ କରି ଏକ ବଡ଼ ଧରଣର ବେଟିଂ ରାକେଟ୍ ଠାବ କରିଥିବା ସୂଚନା ମିଳିଛି।
The post ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ, ଜବତ ହେଲା ୩୦ ଲକ୍ଷ! first appeared on Sambad.
from ଜିଲ୍ଲା – Sambad https://ift.tt/3oBRtUp
0 Comments