
ପୁରୀ: ପବିତ୍ର ମାସ କାର୍ତ୍ତିକରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏ ସଂପର୍କରେ ନିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି। ମୁଖ୍ୟ ପ୍ରଶାସକ ବି ଏଥିରେ ସହମତି ଜଣାଇଥିବା ସେ କହିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ କିଛି ସ୍ପଷ୍ଟ କରିନି।
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମାର୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ତଥାପି ମହାପ୍ରସାଦ ବିକ୍ରି ସ୍ବାଭାବିକ ରହିଥିଲା। କେବଳ କିଛିଟା କଟକଣା ଲଗାଯାଇଥିଲା। ତେବେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ମହାପ୍ରସାଦ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଚାରିଦ୍ବାରରେ ଭିଡ଼ ଲଗାଇଥିଲେ। ସାବିତ୍ରୀ ଭଳି ବାମନ ଜନ୍ମରେ ବି ହଜାର ହଜାର ଭକ୍ତଙ୍କ ଭିଡ଼ ଶ୍ରୀମନ୍ଦିର ବାହାରେ ଦେଖିବାକୁ ମିଳିଥିଲା। ଏହା ସଂକ୍ରମଣର ଭୟ ସୃଷ୍ଟି କରିବାରୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ବିକ୍ରିରେ କଟକଣା ଲଗାଇଥିଲା। କେବଳ ପୁରୀ ସହରର ଅଳ୍ପ କିଛି ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରିର ଅନୁମତି ମିଳିଥିଲା।
ଦୈନିକ ପ୍ରାୟ ୧୨ଶହଜଣଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି କରିବାକୁ ସୁଆର ମହାସୁଆର ନିଯୋଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଗକୁ ପବିତ୍ର କାର୍ତ୍ତିକ ମାସ ପଡ଼ୁଛି। ଏହି ମାସରେ ବୁଢ଼ାବୁଢ଼ୀମାନେ ହବିଷାନ୍ନ ସେବନ କରିଥାନ୍ତି। ବେଳିକିଆ ମହାପ୍ରସାଦ ସେବନ କରି ବ୍ରତ ପାଳିଥାନ୍ତି। ପ୍ରତିବର୍ଷ ଏଥି ପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼ ଜମେ। ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନାରେ ସ୍ବତନ୍ତ୍ର ବ୍ୟବସ୍ଥା ବି କରାଯାଇଥାଏ। ଚଳିତ ବର୍ଷ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଯୋଜନାକୁ ବନ୍ଦ ରଖାଯାଇଛି। କିନ୍ତୁ କାର୍ତ୍ତିକରେ ମହାପ୍ରସାଦର ଆବଶ୍ୟକତା ଅଧିକ ଥିବାରୁ ଭକ୍ତ ଯେଭଳି ସୁବିଧାରେ ଏହା ପାଇପାରିବେ ସେ ଉପରେ ଦୃଷ୍ଟି ଦେବାକୁ ନିଯୋଗ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା।
ଏ ସଂପର୍କରେ ନିଯୋଗ ସଂପାଦକ ଶ୍ରୀ ପ୍ରତିହାରୀ କହିଛନ୍ତି, ଆମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ କଟକଣା ଭିତରେ ମହାପ୍ରସାଦ ବିକ୍ରି ଉପରେ ଆଲୋଚନା କରିଛୁ। ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ସ୍ବତନ୍ତ୍ର କାଉଣ୍ଟର କରିବାକୁ ପ୍ରସ୍ତାବ ଦେଇଛୁ। ଧାଡ଼ିରେ ଯେଭଳି ଭକ୍ତମାନେ ରହିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ କହିଛୁ। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଭଳି ଟୋକନ୍ ଦେଇ ମହାପ୍ରସାଦ ନେବା ବ୍ୟବସ୍ଥା କରାଯାଇଥିଲା, ସେଭଳି ବ୍ୟବସ୍ଥା କରିବାକୁ କହିଛୁ। ମୁଖ୍ୟ ପ୍ରଶାସକ ଏଥିରେ ସହମତି ଜଣାଇଛନ୍ତି। ଆଗାମୀ ତିନି ଚାରିଦିନ ଭିତରେ ଏଭଳି ବ୍ୟବସ୍ଥା ଲାଗୁ ହୋଇପାରେ ବୋଲି ସେ କହିଛନ୍ତି।
The post ସୁଆର ମହାସୁଆର ନିଯୋଗ ସଂପାଦକଙ୍କ ସୂଚନା, କାର୍ତ୍ତିକରେ ମିଳିବ ମହାପ୍ରସାଦ! first appeared on Sambad.
from ଜିଲ୍ଲା – Sambad https://ift.tt/31qMqfv
0 Comments