କଟକ : ଗତିରାଉତପାଟଣାରେ ନାବାଳିକାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେହେରା ଓରଫ ଟିକି ଓ ତା’ର ସହଯୋଗୀ ରାକେଶ କୁମାର ରାଉତ ଓରଫ ରାକାକୁ ଆଜି ଚୌଦ୍ବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ବସୁନ୍ଧରାରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ଓ କଟକ ଡିସିପିଓ ପ୍ରଗତି ମହାନ୍ତି ପୀଡ଼ିତା ନାବାଳିକାକୁ ଭେଟି ଆଲୋଚନା କରିଛନ୍ତି। ପୀଡ଼ିତାର ପାଠପଢାରେ ରାଜ୍ୟ ସରକାର ସବୁପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମହିଳା କମିସନ ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି, ଘଟଣା ସଂପର୍କରେ ଛାନ୍‌ଭିନ୍‌ ପାଇଁ ସିଡବ୍ଲୁସି ପକ୍ଷରୁ ଗଠିତ ଟିମ୍ ପୀଡ଼ିତା ସହିତ ବି ଆଲୋଚନା କରିଛନ୍ତି।

ଡିସିପି ପ୍ରତୀକ ସିଂହ ଦେଇଥିବା ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେହେରାକୁ ପୁଲିସ ମହାନଦୀ ପଠାରୁ ଗିରଫ କରିଛି। ଭଦିମୂଳ ନିକଟରେ ଟିକି ଡଙ୍ଗାରେ ନଈପଠାକୁ ଚାଲି ଯାଇ ଲୁଚି ଥିବାବେଳେ ପୁଲିସ ଚଢଉ କରି ଗତକାଲି ବିଳମ୍ବିତ ରାତିରେ ତାକୁ ଗିରଫ କରିଛି। ପୂର୍ବରୁ ତାର ସହଯୋଗୀ ରାକେଶ କୁମାର ରାଉତ ଓରଫ ରାକାକୁ ପୁଲିସ ଗିରଫ କରିଥିଲା ଆଜି ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

ପ୍ରକାଶଥାଉକି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଏହି ନାବାଳିକାକୁ ୨ ଅଭିଯୁକ୍ତ ଚିକେନ୍ କାଉଣ୍ଟର ପଛ ପଟେ ତାଳ ଦଣ୍ଡା କେନାଲ କୂଳରେ ଥିବା ଏକ ଘରେ ରଖି ୨୨ଦିନ ଧରି ଦୁଷ୍କର୍ମ କରିଥିଲେ। ଏହି ଘଟଣା ସାରାରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା।

The post କଟକ ନାବାଳିକା ଦୁଷ୍କର୍ମ ଘଟଣା : ଜେଲ୍‌ ଗଲେ ୨ ଅଭିଯୁକ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/2H4HRAm