କଟକ : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ (ଓଡ଼ିଶା ୟୁନିଭରସିଟିଜ୍ (ଆମେଣ୍ଡମେଣ୍ଟ) ଅର୍ଡିନାନ୍ସ) , ୨୦୨୦କୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ଏ ନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ ହୋଇଛି।

ଆବେଦନରେ ଦର୍ଶାଯାଇଛି ଯେ ଏହାଦ୍ବାରା ବିଶ୍ବବିଦ୍ୟାଳୟଗୁଡିକର ସ୍ବାୟତ୍ତ ଶାସନ ଅଧିକାର ଚାଲିଯିବ। ବିଶ୍ବବିଦ୍ୟାଳୟ ଓ ଏହାର ମୁଖ୍ୟ କୁଳପତିଙ୍କ ସ୍ବତନ୍ତ୍ରତା ନ୍ୟୂନ ହେବ। ଜାତୀୟ ଶିକ୍ଷାନୀତି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିର ସ୍ବାଧୀନତା ଉପରେ ଅଧିକ ଗୁରୁତ୍ବାରୋପ କରୁଥିବାବେଳେ ସରକାର ଏପରି ଅଧ୍ୟାଦେଶ ଆଣି ଏହା ଉପରେ ଅଙ୍କୁଶ ଜାରି କରିବାକୁ ଉଦ୍ୟମ କରିଛନ୍ତି। ଜାତୀୟ ଶିକ୍ଷାନୀତିର ଏହା ବିରୁଦ୍ଧାଚରଣ କରୁଛି। ଏପରି ସଂଶୋଧନ ଦ୍ବାରା ବିଶ୍ବବିଦ୍ୟାଳୟଗୁଡିକର ପରିଚାଳନାରେ ସରକାରଙ୍କ ହସ୍ତକ୍ଷେପ ବଢିବ। ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ତ୍ବରାନ୍ବିତ କରାଯିବ ବୋଲି କୁହାଯାଉଥିବାବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ। ଲୋକସେବା ଆୟୋଗ ଉପରେ ପୂର୍ବରୁ ବହୁତ ଚାପ ରହିଥିବାବେଳେ ଏପରି ବ୍ୟବସ୍ଥା ଦ୍ବାରା ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବା ନିଶ୍ଚିତ। ଏଥିସହିତ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଦ୍ବାରା ବିଶ୍ବବିଦ୍ୟାଳୟଗୁଡିକର ପରିଚାଳନାରେ ସ୍ବାଧୀନତା ଓ ସ୍ବଚ୍ଛତା ରହିବା ନେଇ ସ‌େନ୍ଦହ ସୃଷ୍ଟି ହୋଇଛି। ଏହି ସଂଶୋଧନ ୟୁଜିସି ନିୟମାବଳୀ ଉଲ୍ଲଂଘନ କରୁଛି। ଏପରି ଅଧ୍ୟାଦେଶ ଆଣିବାର ସରକାରଙ୍କ କ୍ଷମତା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ୟୁଜିସିକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

The post ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ହାଇକୋର୍ଟରେ ଚାଲେଞ୍ଜ first appeared on Sambad.



from ଜିଲ୍ଲା – Sambad https://ift.tt/37aaMxT