
ପୁରୀ : ବାହାର ଜିଲ୍ଲା ଲୋକଙ୍କ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ସାଢ଼େ ୩ ମାସ ଧରି ବଳବତ୍ତର ଥିବା କଟକଣାକୁ ଆଜି ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିନେଇଛି। ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାରର ଅନୁମତି ମିଳିଛି। କରୋନା ମହାମାରୀ ପାଇଁ ନିର୍ଦ୍ଦିଷ୍ଟ କଟକଣା ଭିତରେ ଶବ ସତ୍କାର ପାଇଁ ପ୍ରଶାସନ ଅନୁମତି ଦେଇଛି। ମୃତକଙ୍କ ଆତ୍ମୀୟସ୍ବଜନ ସଂଖ୍ୟା ସୀମିତ କରାଯିବା ସହ କରୋନାର ସବୁ ନିୟମ ଭିତରେ ରହି ଶବ ସତ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ସଂକ୍ରମଣ ଭୟକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରରେ କଟକଣା ଲଗାଇଥିଲା। କେବଳ ଜିଲ୍ଲା ଭିତର ଲୋକଙ୍କୁ ଶବ ସତ୍କାରର ଅନୁମତି ମିଳିଥିଲା। ପ୍ରଥମେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପ୍ରଶାସନ କଟକଣା ଲଗା ଯାଇଥିଲା। ପରେ ଏହି କଟକଣାକୁ ସେପ୍ଟେମ୍ବର ୩୦ ଓ ପୁନର୍ବାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା। କିନ୍ତୁ ଅକ୍ଟୋବର ୩୧ ଅବଧି ପୂର୍ବରୁ ଆଜି ଜିଲ୍ଲା ପ୍ରଶାସନ ଶବ ସତ୍କାର କ୍ଷେତ୍ରରେ ବାହାର ଜିଲ୍ଲାବାସୀଙ୍କ ପାଇଁ ଯେଉଁ କଟକଣା ଲଗାଇଥିଲା, ତାକୁ ପ୍ରତ୍ୟାହାର କରି ନେଇଛି। ପ୍ରଶାସନର ବିଜ୍ଞପ୍ତି ଅନୁଯାୟୀ, କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଅନ୍ୟ ସମସ୍ତଙ୍କ ମୃତଦେହ ଏଠାରେ ସତ୍କାର କରାଯାଇ ପାରିବ।
ଅତିବେଶିରେ ୨୦ ଜଣ ସଂପର୍କୀୟ ସ୍ବର୍ଗଦ୍ବାର ଭିତରକୁ ପ୍ରବେଶ କରି ପାରିବେ। ସଂପର୍କୀୟମାନେ ମାସ୍କ ପରିଧାନ, ସାନିଟାଇଜେସନ୍ ସହ ସାମାଜିକ ଦୂରତା ରକ୍ଷା ଉପରେ କଡ଼ା ନଜର ରଖାଯିବ। ପୌର ନିର୍ବାହୀ ଅଧିକାରୀଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏ ସଂପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି, ପୁରୀ ସ୍ବର୍ଗଦ୍ବାର ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କ ଆଧ୍ୟାତ୍ମିକ ଭାବାବେଗ ସହ ଜଡ଼ିତ। ପୁରୀ ଜିଲ୍ଲା ତଥା ପୌରାଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା କମିଥିବାରୁ ଆଧ୍ୟାତ୍ମିକ ଭାବାବେଗକୁ ଆଖି ଆଗରେ ରଖି ଆଜି ଠାରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ସ୍ବର୍ଗଦ୍ବାର ଖୋଲିବାକୁ ନିଷ୍ପତ୍ତି ନେଇଛୁ। ଆଶା କରୁଛୁ, କରୋନାର ସମସ୍ତ ନିୟମ ପାଳନ ପୂର୍ବକ ମୃତକମାନେ ଏଠାକୁ ଅନ୍ତିମ ସଂସ୍କାର ପାଇଁ ଆସିବେ। ଆତ୍ମୀୟସ୍ବଜନମାନେ ସ୍ବର୍ଗଦ୍ବାର ଭିତରେ ଯେପରି ସାମାଜିକ ଦୂରତା, ମାସ୍କ ପରିଧାନ ଆଦି ନିୟମକୁ ମାନି ଅନ୍ତିମ ସଂସ୍କାର କରିବେ ସେ ଉପରେ କଡ଼ା ନଜର ରଖାଯିବ ବୋଲି ଶ୍ରୀ ସିଂ କହିଛନ୍ତି।
The post ବାହାର ଜିଲ୍ଲା ପାଇଁ ଖୋଲିଲା ପୁରୀ ସ୍ୱର୍ଗଦ୍ୱାର first appeared on Sambad.
from ଜିଲ୍ଲା – Sambad https://ift.tt/34dzRGw
0 Comments