ଆସିକା : ତିନିଦିନ ହେଲା ଶବ ମିଳିନି କି କିଛି ଖୋଜ୍‌ଖବର ନାହିଁ। ତେଣୁ ଏତେ ବଡ଼ ଅଘଟଣ ତାଙ୍କୁ ଅଫେରା ରାଇଜକୁ ନେଇସାରିଛି, ଏହି ସତକୁ ପରିବାର ଲୋକେ ଶେଷରେ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ଆଉ କୋକଇେରେ ଶବ ବଦଳରେ ନଡ଼ାରେ ମଣିଷର ଆକୃତିକୁ ଶୁଆଇଦେଇ ଶ୍ମଶାନକୁ ବାହାରିଛି ଶୋଭାଯାତ୍ରା। ‌ସମସ୍ତ ରୀତିନୀତି ଅନୁସାରେ ଶ୍ମଶାନରେ ଶବକୁ ସଂସ୍କାର କରାଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଗହଙ୍ଗୁ ଗ୍ରାମରେ ଏଭଳି ହୃଦୟବିଦାରକ ଚିତ୍ର ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଗତ ୭ ତାରିଖରେ ଭୁବନେଶ୍ବରଠାରେ ପେଟ୍ରୋଲ୍ ପମ୍ପ୍ ବିସ୍ଫୋରଣ ପରେ ସୀମାଞ୍ଚଳ ପରିଡ଼ାଙ୍କ ଏଯାଏ ପତ୍ତା ମିଳି ପାରିନି। ହେଲେ ଘଟଣାସ୍ଥଳରୁ ତାଙ୍କ ପର୍ସ ଓ ତା’ ପାଖରେ ଥିବା ଶରୀରର କିଛ ଖଣ୍ଡବିଖଣ୍ଡିତ ଅଂଶକୁ ଦେଖି ତାଙ୍କର ମୃତ୍ୟୁ ହୋଇସାରିଛି ବୋଲି ପରିବାରବର୍ଗ ନିଶ୍ଚିତ ହୋଇଥିଲେ। ଆଉ ଗାଁରେ ଗତକାଲି ପ୍ରତୀକାତ୍ମକ ଶବ ସଂସ୍କାର କରାଯାଇଛି। ଏହି ସମୟରେ ଆବାଳବୃଦ୍ଧବନିତା ସଭିଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଆଉ ପରିବାରର ୬ ଭଉଣୀ ମଧ୍ୟରେ ସୀମାଞ୍ଚଳ ଗୋଟିଏ ମାତ୍ର ଭାଇ ଥିବାରୁ ସେମାନଙ୍କ ବୁକୁଫଟା କାନ୍ଦରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ବୁଢ଼ା ବାପା ତ୍ରିନାଥ ଓ ମା’ ସ୍ତବ୍ଧ ହୋଇ ଚାହିଁ ରହିଥିଲେ। ‘ଛଅ ଭଉଣୀରେ ‌ଗୋଟିଏ ଭାଇ ଥିଲା। ପଛରେ ଆସିଲା ଆଗରେ ପଳାଇଲା। ଯାହାକୁ ଖୋଜି ଖୋଜି ଆଣିଥିଲୁ, ସେ ଆମକୁ ପର କରି ପଳାଇଲା’ ବୋଲି ଭଉଣୀ ମଞ୍ଜୁଳା କୋହଭରା କଣ୍ଠରେ କହିଥିଲେ।

ମୃତ ସୀମାଞ୍ଚଳ ଘରର ଏକ ମାତ୍ର ପୁଅ ଓ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ। ବାପା ତ୍ରିନାଥ କୋଇଲା ଖଣିରେ କୋଇଲା ‌ବୋହି ପିଲା ମାନଙ୍କୁ ମଣିଷ କରିଥିଲେ। ବର୍ତ୍ତମାନ ସେ ଅବସର ନେଇ ଗାଁରେ ରହୁଥିଲେ। ଆଉ ପୁଅ ସୀମାଞ୍ଚଳ ଡିପ୍ଲୋମା କରିବା ସହ କୋଲକାତାରେ କାମ କରୁଥିଲେ। ପତ୍ନୀ ପ୍ରେମଲତାଙ୍କ ସମେତ ତାଙ୍କର ଗୋଟିଏ ୯ ବର୍ଷର ପୁଅ ପ୍ରେମାନନ୍ଦ ଓ ୪ ବର୍ଷର ଝିଅ ମନୀଷା ଅଛନ୍ତି। ଦୁର୍ଘଟଣା ପୂର୍ବଦିନ ଅର୍ଥାତ୍ ଗତ ୬ ତାରିଖରେ ସୀମାଞ୍ଚଳ କୋଲକାତାରୁ ଫେରି ‌ପେଟ୍ରୋଲ୍ ପମ୍ପ୍ ବୈଷୟିକ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ବିସ୍ଫୋରଣ ପରେ ସୀମାଞ୍ଚଳଙ୍କ ଖୋଜ୍‌ଖବର ମିଳି ନଥିଲା। ପରିବାରବର୍ଗ ବ୍ୟସ୍ତବିବ୍ରତ ହୋଇ ଭୁବନେଶ୍ବର ଓ କଟକ ଯାଇ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ତାଙ୍କୁ ଖୋଜି ମଧ୍ୟ ଠାବ କରି ପାରି ନଥିଲେ। ତେବେ ଘଟଣାସ୍ଥଳରୁ ଗତକାଲି ସେମାନଙ୍କୁ ସୀମାଞ୍ଚଳଙ୍କ ଫଟୋ ଲାଗିଥିବା ପର୍ସ ମିଳିଥିଲା। ଆଉ ପୁଲିସ ସେଠାରୁ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଉଠାଉଥିବାର ଦେଖି ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ମାନି ନେଇଥିଲେ।

ଶବ ମିଳି ନଥିବାରୁ ନଡ଼ାରେ ମଣିଷ ଆକୃତି କରାଯିବା ସହ ସେଥିରେ ସୀମାଞ୍ଚଳଙ୍କ ପୋଷାକ ପିନ୍ଧାଯାଇଥିଲା। କୋକେଇରେ ଉକ୍ତ ଆକୃତିକୁ ଶୁଆଇ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା। ସୀମାଞ୍ଚଳଙ୍କ ମୃତ୍ୟୁ ପରେ ପତ୍ନୀ ଓ ୨ ସନ୍ତାନ ବେସାହାରା ପାଲଟିଯାଇଛନ୍ତି। ପିଲାଙ୍କୁ କେମିତି ମଣିଷ କରିବି ବୋଲି ପତ୍ନୀ ପ୍ରେମଲତା ଲୁହଭରା ଆଖିରେ ପ୍ରଶ୍ନ କରିଛନ୍ତି।



from ଜିଲ୍ଲା – Sambad https://ift.tt/3nCIPVk