
ବୌଦ୍ଧ: ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା। ଜିଲ୍ଲାର ଉପାନ୍ତ ଅଞ୍ଚଳଗୁଡ଼ିକରେ ହଜାର ହଜାର ଏକର ବେଆଇନ ଗଞ୍ଜେଇ ଚାଷ ହେଉଛି। ବେଧଡ଼କ ପଡ଼ୋଶୀ ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏହି ମାମଲାରେ ଦାମୀ କାର୍ ଚଢୁଥିବା ବଡ଼ବଡ଼ିଆ ବାବୁମାନେ ଧରାପଡ଼ି ଖସି ଯାଉଥିବା ବେଳେ ପ୍ରାୟତଃ ମଳିମୁଣ୍ଡିଆ ଦଣ୍ଡ ଭୋଗୁଛନ୍ତି।
ଗତ ୨୨ତାରିଖ ସ୍ଥାନୀୟ ବ୍ରିଜ୍ ଛକରୁ ମୁର୍ଷୁଣ୍ଡି-ବଘିଆପଡା ରାସ୍ତାରେ ଏକ ଘରୋଇ ସ୍ବିଫ୍ଟ ଡିଜାୟର୍ କାର୍ (ଓଡି-୨୭ବି-୪୬୫୦)କୁ ବୌଦ୍ଧ ପୁଲିସ ଧରିବାରେ ସଫଳ ହୋଇଥିଲା। ମାତ୍ର ଡ୍ରାଇଭର୍ଜଣକ କାର୍ ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ପୁଲିସ୍ ପକ୍ଷରୁ କାର୍ରୁ ୩ଟି ବସ୍ତାରେ ଭର୍ତ୍ତି ୬୦ କିଲୋ ୩୫୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଥିଲା।
ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଘଟଣାର ତଦନ୍ତ କରୁଥିବା ବେଳେ ଉକ୍ତ ଘରୋଇ କାର୍ଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ସମବାୟ ବ୍ୟାଙ୍କରେ ମ୍ୟାନେଜର୍ ସୁନୀଲ ସାହୁଙ୍କର ଓ ତାଙ୍କ ଘର ବୌଦ୍ଧର ପୋଡ଼ାପଡ଼ାରେ ବୋଲି ଜଣାପଡ଼ିଥିଲା। ଇତିମଧ୍ୟରେ ଘଟଣାକୁ ସପ୍ତାହେ ବିତିସାରିଛି। ମାତ୍ର ଜବତ ହୋଇଥିବା କାର୍ର ମାଲିକ ବୌଦ୍ଧ ପୁଲିସ୍କୁ ବାରମ୍ବାର ଚକ୍ମା ଦେଇ ଚାଲିଥିବା ଜଣାପଡ଼ିଛି। ଅପରପକ୍ଷେ ଫେରାର୍ ହୋଇଯାଇଥିବା କାର୍ ଡ୍ରାଇଭର୍ ମଧ୍ୟ ପୁଲିସ୍କୁ ଧରାଛୁଆ ଦେଉନାହିଁ। ପୁଲିସ୍ ଚାହିଁଲେ ୨୯ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ବେଆଇନ ଗଞ୍ଜେଇ ଚାଲାଣରେ ଜବତ କାର୍ ମାଲିକକୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିପାରିବ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଯାହାକୁ ନେଇ ସାଧାରଣରେ ସନ୍ଦେହ ହେବା ସ୍ବଭାବିକ କଥା।
The post କାର୍ରୁ ୬୦ କେଜି ଗଞ୍ଜେଇ ଜବତ ଘଟଣା: ପୁଲିସ୍କୁ ଚକ୍ମା ଦେଉଛନ୍ତି ଗାଡ଼ି ମାଲିକ ବ୍ୟାଙ୍କ ମ୍ୟାନେଜର୍ first appeared on Sambad.
from ଜିଲ୍ଲା – Sambad https://ift.tt/3qfrqmG
0 Comments