
ମାଛଗାଁ: ଘନ ଘନ ବିଜୁଳି କାଟ, ଲୋ ଭୋଲ୍ଟେଜରେ ସ୍ଥାନୀୟ ଜନସାଧାରଣ ଅତିଷ୍ଠ। ପ୍ରତି ମାସରେ ବିଲ ପୈଠରେ ଢିଲା ନାହିଁ। କିନ୍ତୁ ନିରନ୍ତର ସେବା ଛାଡ଼ନ୍ତୁ ଆଂଶିକ ସେବା ଦେବାରେ ଅକ୍ଷମ ହେଉଛି ବିଦ୍ୟୁତ ବିଭାଗ। ବାରମ୍ବାର ବିଦ୍ୟୁତ କାଟ ଓ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଂଚାୟତ ଦଶବାଟିଆ ଠାରେ ୩ ବର୍ଷ ପୂର୍ବେ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏକ ବିଦ୍ୟୁତ ଷ୍ଟ୍ରକଚର କାମ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ନିର୍ମାଣ ଅବିଧି ସରି ଯାଇଥିଲେ ମଧ୍ୟ ଏଯାଏ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ।
ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମାନୀ ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଅନ୍ୟପଟେ ସେଠାରେ ନିମ୍ନମାନର କାମହୋଇଥିବାନେଇ ମଧ୍ୟ ଅଭିଯୋଗ ହେଉଛି। ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୂଦୁଲି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗତ ଫେବୃଆରି ମାସରେ ସେହି ସ୍ଥାନ ପରିଦର୍ଶନ କରି କାର୍ଯ୍ୟକୁ ତଦାରଖ କରୁଥିବା ଯନ୍ତ୍ରୀ ଭରତ ଭୂଷଣ ପ୍ରଧାନଙ୍କୁ ତାଗିଦ କରି ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ତାଗିଦ୍ କରି ଯାଇଥିଲେ।
ଏହାର ୯ ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ଶୋଭା ଷ୍ଟ୍ରକଚର ପାଖରୁ ୩୩ କେଭି ବିଦ୍ୟୁତ ତାର ଉକ୍ତ ପ୍ରକଳ୍ପ ପର୍ଯ୍ୟନ୍ତ ଲାଗି ପାରି ନାହିଁ । ତେଣୁ ଏହା କେବେ କାର୍ଯ୍ୟକ୍ଷମ ହୋଇ ଜନସାଧାରଣଙ୍କ କାର୍ଯ୍ୟରେ ଲାଗିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଷ୍ଟକଚର କାର୍ଯ୍ୟକ୍ଷମ ହେଲେ ଖାଲଗାଁ, ଅପଣ୍ଡରା, ବରମୁଣ୍ଡଳୀ, ନହରଣା, ମରିଚିପୁର ପଞ୍ଚାୟତର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ଉପକୃତ ହୋଇ ପାରନ୍ତେ। ଲୋକଙ୍କର ଏହି ସମସ୍ୟା ପ୍ରତି ବିଭାଗୀୟ ମନ୍ତ୍ରୀ ଓ ସଚିବ ଦୃଷ୍ଟି ଦେଇ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
The post ୯ ମାସ ପରେ ମଧ୍ୟ କାମ ଦେଲାନି ମନ୍ତ୍ରୀଙ୍କ ତାଗିଦ୍; ୫ କୋଟିର ବିଦ୍ୟୁତ ଷ୍ଟ୍ରକଚର ହେଉନି କାର୍ଯ୍ୟକ୍ଷମ first appeared on Sambad.
from ଜିଲ୍ଲା – Sambad https://ift.tt/34URATk
0 Comments