
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରୁ ୧୨ ବର୍ଷ ତଳେ ନିଖୋଜ ହୋଇଥିବା ଝିଅ ଦିଲ୍ଲୀରୁ ଉଦ୍ଧାର ହୋଇଛି। ପରିବାର ଲୋକେ ୧୨ବର୍ଷ ପରେ ଝିଅକୁ ପାଇ ଆନନ୍ଦରେ ଅଧୀର ହୋଇଉଠିଛନ୍ତି। ୨୦୦୮ ମସିହାରେ ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ପଞ୍ଚାୟତ କଦମଗୁଡ଼ା ଗାଁର ରଘୁନାଥ ଭୂମିଆଙ୍କ ଏକମାତ୍ର ଝିଅ ତୁଳସା ଭୂମିଆ ଓରଫ ପୂଜା ଗାଁରୁ ହଠାତ୍ ନିଖୋଜ ହୋଇ ଯାଇଥିଲେ। ତୁଳସା ନିଖୋଜ ହେବା ପରେ ପରିବାର ଓ ବନ୍ଧୁବାନ୍ଧବ ଆଖପାଖ ଗାଁ ସହ ସମସ୍ତ ସଂପର୍କୀୟଙ୍କ ଘର ବୁଲି ଖୋଜିଥିଲେ। ହେଲେ ତୁଳସାଙ୍କ କୌଣସି ଖୋଜ ଖବର ମିଳିନଥିଲା। ତାପରେ ମାଥିଲି ଥାନାରେ ଝିଅ ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।
ଗତ ମେ’ ମାସରେ ତୁଳସା କୌଣସି ଏକ ସାମାଜିକ ଗଣମାଧ୍ୟମରୁ ନିଜ ଗାଁ କଦମଗୁଡ଼ାର ଘେନା ଭୂମିଆଙ୍କ ଫୋନ ନମ୍ବର ପାଇଥିଲେ। ତାପରେ ସେ ଘେନାଙ୍କୁ ଲୁଚା ଛପାରେ ଫୋନ କରି କହିଥିଲେ ନିଜର ଦୁଃଖ କାହାଣୀ। ସେ ଦିଲ୍ଲୀ ରାଜେନ୍ଦ୍ର ନଗର, ଶଙ୍କର ରୋଡ, ପ୍ଲଟ ନଂ-୧୧୫ ବାସିନ୍ଦା ଲାଲା ଭବାନୀ ନାମକ ଜଣେ ହୋଟେଲ ମାଲିକ ଘରେ ରୋଷେୟା ଭାବେ କାମ କରୁଥିବା କହିଥିଲେ। ତାଙ୍କୁ ଘରକୁ ଯିବାକୁ ଦିଆ ଯାଉନଥିବା ବେଳେ ଘରକୁ ଯିବା କଥା କହିଲେ ମାଲିକ ଧମକ ଚମକ ଦେଉଥିବା କହିଥିଲେ ତୁଳସା। ଏପରିକି ତାଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଦିଆ ଯାଉନଥିବା କହିଥିଲେ। ଯେମିତି ହେଲେ ତାଙ୍କୁ ଏ ନର୍କରୁ ଉଦ୍ଧାର କରିବାକୁ ଘେନାଙ୍କୁ ନେହୁରା ହୋଇଥିଲେ ତୁଳସା। ଘେନା ତୁରନ୍ତ ଏ ଖବର ତୁଳସାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ତୁରନ୍ତ ମାଥିଲି ଥାନାରେ ପହଞ୍ଚି ସମସ୍ତ ବିଷୟ କହିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ମଧ୍ୟ ଫେରାଦ ହେଲେ। ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, ତୁଳସାଙ୍କ ଭାଇ ଚକ୍ର ଭୂମିଆ ପୁଲିସ ସହାୟତାରେ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଓ ରେସିଡେଣ୍ଟ କମିଶନରଙ୍କୁ ସମସ୍ତ ବିଷୟ କହିବା ପରେ ହୋଟେଲ ମାଲିକ ଘରେ ଚଢ଼ଉ କରି ତୁଳସାଙ୍କୁ ଉଦ୍ଧାର କରାଯାଇଥିଲା।
ଦୀର୍ଘ ୧୨ବର୍ଷ ପରେ ହଜିଲା ଝିଅକୁ ପାଖରେ ପାଇ ପରିବାରରେ ଏବେ ଖୁସିର ଲହରି ଖେଳିଯାଇଛି। ତୁଳସାଙ୍କ ପରିବାର ଲୋକେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ହେଲେ ଗାଁରୁ ତୁଳସା କିପରି ନିଖୋଜ ହେଲେ ମନେ ପଡୁନଥିବା କହିଥିବା ବେଳେ ସେ ଛୋଟ ଥିବାରୁ ହୁଏତ ତାଙ୍କୁ କେହି ଗାଁରୁ ନେଇ ବାହାରେ ଛାଡ଼ି ଦେଇଥିବା ସନ୍ଦେହ କରାଯାଉଛି।
The post ୧୨ ବର୍ଷ ତଳେ ମାଥିଲିରୁ ନିଖୋଜ ଝିଅ ଦିଲ୍ଲୀରୁ ଉଦ୍ଧାର, ହଜିଲା ଝିଅକୁ ପାଇ ପରିବାରରେ ଖୁସିର ଲହରି first appeared on Sambad.
from ଜିଲ୍ଲା – Sambad https://ift.tt/3pgEesR
0 Comments