
ପୁରୀ : ସାମାନ୍ୟ କଥାକୁ ନେଇ ପାହାଡ଼ ଠିଆ କରାଗଲା। ଭଣ୍ଡାର ମେକାପ-ସିଂଘାରୀ ସେବକ ମୁହାଁମୁହିଁ ହେଲେ। ଯେଉଁଥିପାଇଁ ୩ ଘଣ୍ଟା କାଳ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅଟକିଗଲା। ଯାହାକୁ ନେଇ ଭକ୍ତ ମହଲରେ ବିରୋଧର ସ୍ବର ଉଠିଛି। ଚାରିଆଡ଼େ ଛି ଛାକର କରାଯାଉଛି। ମହାପ୍ରଭୁଙ୍କୁ ନେଇ ଏଭଳି ଖେଳ ଖେଳୁଥିବା ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି। ନିର୍ଘଣ୍ଟ ନୀତି ଅନୁଯାୟୀ ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ବେଶ ଲାଗି ଆରମ୍ଭ ହୋଇଥା’ନ୍ତା। ସକାଳ ୭ଟା ସୁଦ୍ଧା ବେଶ ଲାଗି ଶେଷ ହୋଇଥାନ୍ତା। ସେହି ଅନୁଯାୟୀ ପ୍ରସ୍ତୁତି ପର୍ବ ବି ଆରମ୍ଭ ହୋଇଯାଇଥିଲା। ଆରମ୍ଭରୁ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲେ ବି ପରବର୍ତ୍ତୀ ସମୟରେ ଏହାକୁ ସଜାଡ଼ି ଦେବାକୁ ଆଶା ରଖିଥିଲା ଶ୍ରୀମନ୍ଦିର ପ୍ରଶାସନ। ଭଣ୍ଡାର ମେକାପ ରତ୍ନ ଭଣ୍ଡାରରୁ ଲାଗି ଅଳଙ୍କାର ବି ରତ୍ନ ସିଂହାସନ ନିକଟକୁ ଆଣି ସାରିଥିଲେ। କେବଳ ସିଂଘାରୀ ସେବକଙ୍କୁ ଏହି ଅଳଙ୍କାର ଦିଆଯାଇଥାନ୍ତା। ପରେ ସିଂଘାରୀ ସେବକ ଏହାକୁ ମହାପ୍ରଭୁଙ୍କୁ ଲାଗି କରିଥାନ୍ତେ। କିନ୍ତୁ ଅଳଙ୍କାର ହସ୍ତାନ୍ତର ପୂର୍ବରୁ ଆରମ୍ଭ ହୋଇଥିଲା ବିବାଦ। ଭଣ୍ଡାର ମେକାପ ଯୁକ୍ତି ବାଢ଼ିଥିଲେ କି ରତ୍ନ ସିଂହାସନ ଉପରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ସିଂଘାରୀ ସେବକ ରହିଛନ୍ତି। ଏହା ଅଳଙ୍କାର ଗଣତିରେ ଅସୁବିଧା ସୃଷ୍ଟି କରିବ। ଅଳଙ୍କାର ଏପଟ ସେପଟ ହେବ। ଅଳ୍ପ ସଂଖ୍ୟକ ସିଂଘାରୀ ସେବକ ରତ୍ନ ସିଂହାସନ ଉପରେ ରହିଲେ ଯାଇ ଅଳଙ୍କାର ଦିଆଯିବ। ଯେ ପର୍ଯ୍ୟନ୍ତ ଅତିରିକ୍ତ ସିଂଘାରୀ ସେବକମାନେ ତଳକୁ ନ ଓହ୍ଲାଇଛନ୍ତି, ସେ ପର୍ଯ୍ୟନ୍ତ ଅଳଙ୍କାର ଦିଆଯିବନି। ଏ କଥା ଶୁଣି ସିଂଘାରୀ ସେବକମାନେ ବି ସେମାନଙ୍କ ତୋଡ଼ ଦେଖାଇଥିଲେ ଓ ବେଶ ଲାଗି କରିବୁନି ବୋଲି କହିଥିଲେ। ଏହାକୁ କେନ୍ଦ୍ରକରି ବହୁ ସମୟ ଯୁକ୍ତିତର୍କ ହୋଇଥିଲା। ଉଭୟପକ୍ଷ ମୁହାଁମୁହିଁ ଓ କଥା କଟାକଟି ହୋଇଥିଲେ। ଶେଷରେ ଶ୍ରୀମନ୍ଦିର ପ୍ରଶାସନ, ମନ୍ଦିର କମାଣ୍ଡର ଓ ଅନ୍ୟମାନେ ରତ୍ନ ସିଂହାସନ ନିକଟରେ ପହଞ୍ଚି ଉଭୟ ପକ୍ଷକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଆପୋସ ବୁଝାମଣା ପରେ କଥା ଛିଣ୍ଡିଥିଲା। ପୂର୍ବ ନିର୍ଦ୍ଧାରିତ ସଂଖ୍ୟା ଅନୁଯାୟୀ ସିଂଘାରୀ ସେବକ ରତ୍ନ ସିଂହାସନ ଉପରେ ରହିବା ପରେ ବେଶ କାମ ଆରମ୍ଭ ହୋଇଥିଲା। ସେତେବେଳକୁ ବେଶ ଲାଗି ୩ ଘଣ୍ଟା ବିଳମ୍ବ ହୋଇସାରିଥିଲା।

ଭକ୍ତମହଲରେ ଗଭୀର ଅସନ୍ତୋଷ, ପୁଣି ସୃଷ୍ଟି କଲେ ବିଶୃଙ୍ଖଳା
ପୁରୀ : ଥରେ କି ଦୁଇଥର ନୁହେଁ, ଏକାଧିକ ଥର ସେବାୟତମାନେ ମହାପ୍ରଭୁଙ୍କ ସହ ଏଭଳି କଲେଣି। ଅତୀତରେ ସିଂହଦ୍ବାରରେ ଭକ୍ତଙ୍କ ପ୍ରବେଶକୁ ନେଇ ଗଣ୍ଡଗୋଳ ହୋଇଥିଲା। ପୁଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ମହାପ୍ରଭୁଙ୍କୁ ୧୪ ଘଣ୍ଟା ଭୋକ ଉପାସରେ ବି ରଖିବାକୁ ପଛାଇନଥିଲେ ଏମାନେ। ସକାଳର ନୀତିକାନ୍ତି ସଂଧ୍ୟାରେ କରାଯାଇଥିଲା। ଆଜି ବି ସମାନ କଥା ଦୋହରାଇଲେ। ୨୬ ବର୍ଷ ପରେ ପଡ଼ୁଥିବା ନାଗାର୍ଜୁନ ବେଶକୁ ଅଟକାଇ ଦେଲେ। ଏହା ଚରମ ବିଶୃଙ୍ଖଳା କହିଲେ ଅତ୍ୟୁକ୍ତି ହେବନି। ତଥାପି କ୍ଷମା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ମହଲ। ସେବାୟତଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର କ୍ଷେତ୍ରରେ ମୁଣ୍ଡ ଖେଳାଇଥିଲେ। ଦାନ ଦକ୍ଷିଣା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି। ଯେଉଁଥିପାଇଁ ଦିନକୁ ଦିନ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ବଢ଼ିଚାଲିଛି ବୋଲି ଭକ୍ତ ମହଲ ମତ ରଖିଛନ୍ତି।
The post ଭଣ୍ଡାର ମେକାପ-ସିଂଘାରୀ ସେବକ ବିବାଦ : ୩ ଘଣ୍ଟା ଅଟକାଇଦେଲେ ବେଶ first appeared on Sambad.
from ଜିଲ୍ଲା – Sambad https://ift.tt/39iO5IZ
0 Comments