ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଭାଲୁମୁଣ୍ଡା-ସାଆନ୍ଦା ରାସ୍ତାରେ ଏକ ଦନ୍ତା ହାତୀର ଉଗ୍ରରୂପ ଲୋକଙ୍କୁ ଭୟଭୀତ କରିଛି। ଆଜି ସକାଳୁ ସକାଳୁ ଦୁଇଟା ବାଇକ ଉପରେ ଦନ୍ତା ଆକ୍ରମଣ କରିଛି। ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। କାହାର ଗୋଡ଼ ଭାଙ୍ଗି ଯାଇଛି ତ ଆଉ କାହା ଅଣ୍ଟା ଉପରେ ଦନ୍ତା ଗୋଡ଼ ପକାଇ ଦେଇଛି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଲୋକଙ୍କ କହିବା ମୁତାବକ, ଏକ ହାତୀ ଦଳ ସଂଘବଦ୍ଧ ହୋଇ ଗାଁରୁ ଗାଁ ଘୁରି ବୁଲୁଛନ୍ତି। ତା ମଧ୍ୟରୁ ଗୋଟିଏ ଦନ୍ତା ହାତୀ ଲୋକଙ୍କ ଉପରେ ଆକ୍ରମଣ କରୁଛି।

ଆଜି ସକାଳ ପ୍ରାୟ ୬ଟା ବେଳେ ସାଆନ୍ଦା ପଞ୍ଚାୟତ ବାଇଗିଣିଆ ଗାଁର ସରୋଜ ଭୋଇ ଏବଂ କାର୍ତ୍ତିକ ମାଝି ଏକ ବାଇକ ଯୋଗେ ପର୍ଜଙ୍ଗକୁ କାମ କରିବାକୁ ଯାଉଥିଲେ। ରାସ୍ତାକଡ଼ରେ ଦନ୍ତା ଲୁଚି ଥିଲା। ବାଇକ ଆରୋହୀ ଦୁହେଁ ସେଠାରେ ଦନ୍ତା ଥିବା ଜାଣି ପାରି ନ ଥିଲେ। ହଠାତ ଦନ୍ତା ସେମାନଙ୍କୁ ଆକ୍ରମଣ କରିଥିଲା। ଘଟଣାରେ ଉଭୟ ଗୁରୁତର ହୋଇଛନ୍ତି। ଠିକ କିଛି ସମୟ ପରେ କଟାବାହଳ ଗାଁର ବିଶ୍ୱନାଥ ପ୍ରଧାନ ବାଇକରେ ଯାଉଥିବା ବେଳେ ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର ଆହତ କରିଛି।
ଏଥିପାଇଁ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ଗାଁ ନିକଟରୁ ହାତୀଙ୍କୁ ଘଉଡ଼ା ଯାଉ ନାହିଁ। ଲୋକଙ୍କୁ ସୁରକ୍ଷା ଦିଆଯାଉନାହିଁ। ଲୋକେ ଡାକିଲେ ବି ବନ କର୍ମଚାରୀ ଶୁଣୁ ନାହାନ୍ତି। ଏହାର ପ୍ରତିବାଦରେ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି।

 

The post ହାତୀ ଆକ୍ରମଣରେ ତିନି ଗୁରୁତର: ରାସ୍ତା ଅବରୋଧ, ଦେଖନ୍ତୁ ଭିଡିଓ first appeared on Sambad.



from ଜିଲ୍ଲା – Sambad https://ift.tt/3ldCGwj