ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର,ବନ୍ଧସାହି ଗ୍ରାମର ଜନୈକା ୫ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗରେ ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଭୂଇଁପୁର, ବନ୍ଧସାହି ଗ୍ରାମର ଜନୈକା ମହିଳା ସିପାନୀ ନାଥ(ଛଦ୍ମନାମ) ଶନିବାର ଆଳି ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ଯେ, ସେହି ଗ୍ରାମର ୮୭ ବର୍ଷ ବୟସ୍କ ଦୋକାନୀ ସୁନାକର ପାତ୍ର ଗତ ୨୩ ତାରିଖ ଦିନ ତାଙ୍କର ୫ ବର୍ଷର ସାନ ଝିଅ ଟପି (ଛଦ୍ମନାମ)କୁ ଟେକିନେଇ ତାଙ୍କର ଦୋକାନ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦକରି ରଖିଥିଲେ। ଏହି ସୂଚନା ପାଇବା ପରେ ସେ ଯାଇ ଦେଖନ୍ତି ତ ତାଙ୍କର ଝିଅ କ୍ୟାବିନ ସମ୍ମୁଖରେ ନିସ୍ତେଜ ହୋଇ ପଡ଼ି ରହିଥିଲା। ଝିଅକୁ ନେଇ ଘରେ ଦେଖିବା ପରେ ତାର ଶରୀରର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା।

ଏସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଓଲଟି ସୁନାକରଙ୍କ ପୁଅ ସିପାନୀଙ୍କୁ ନାନା ଧମକ ଦେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ସୁନାକରଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ନାନା ଧମକଚମକ ଦେଇ ତାଙ୍କୁ ଥାନାକୁ ନ ଛାଡ଼ି ନଜରବନ୍ଦୀରେ ରଖିଥିଲେ। ଏହାପରେ ଶନିବାର ସିପାନୀ ଗାଁରୁ ଲୁଚିଛପି ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଆଳି ପୁଲିସ ଅଭିଯୁକ୍ତ ସୁନାକର ପାତ୍ରଙ୍କୁ ଆଜି ସକାଳୁ ଗିରଫ କରିଥିବା ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

The post ଆଳିରେ ଚାଞ୍ଚଲ୍ୟ: ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୮୭ ବର୍ଷର ବୃଦ୍ଧ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/37kC3Mv