କଟକ : ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତିଙ୍କ ମା’ ତାଙ୍କ ବଡ଼ ବୋହୂ ବର୍ଷା ମରାମତି ପାଇଁ ଘର ଖାଲି କରୁ ନ ଥିବାର ଅଭିଯୋଗ କରିବା ପରେ ବର୍ଷା ପ୍ରିୟଦର୍ଶିନୀ ବି ପାଲଟା ଅଭିଯୋଗ ଆଣିଛନ୍ତି । ସେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ମରାମତି ବାହାନାରେ ତାଙ୍କୁ ଘରୁ ବାହାର କରିବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଯାଉଛି। ଶାଶୁଘର ଛଡ଼ା ଅନ୍ୟ କେଉଁଠି ରହିବାର ତାଙ୍କର ସୁବିଧା ନାହିଁ। ଜଣେ ସାଂସଦଙ୍କ ପତ୍ନୀ ହୋଇଥିବା ହେତୁ ପୁଲିସ୍ ତାଙ୍କର ସୁରକ୍ଷା ଉପରେ ନଜର ଦେବାକୁ ଏବଂ ଘଟଣା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ସୂଚନାଯୋଗ୍ୟ, କଟକର ପୁରୀଘାଟ ଥାନାରେ କରିଥିବା ଅଭିଯୋଗରେ ଅନୁଭବଙ୍କ ମା’ ମଧୁସ୍ମିତା ମହାନ୍ତି ଦର୍ଶାଇଛନ୍ତି ଯେ, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର । କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖା ଦେବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ । ମିସ୍ତ୍ରୀ ମରାମତି ପାଇଁ ୧୦ ଦିନ ଲାଗିବ ବୋଲି କହିଥିଲେ । ତେଣୁ ଏହି ୧୦ ଦିନ ଲାଗି ଘର ଛାଡ଼ି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବଡ଼ ବୋହୂ ବର୍ଷାଙ୍କୁ ସେ ଅନୁରୋଧ କରିଥିଲେ।
କିନ୍ତୁ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡ଼ୁନଥିବା ଅନୁଭବଙ୍କ ମା’ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ସେ, ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଥାନା କର୍ତ୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା’ ଅନୁରୋଧ କରିଛନ୍ତି।

ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କୁ ନେଇ ବିବାଦ ଥମିନଥିବା ବେଳେ ପୁଣି ଏହି ନୂଆ ବିବାଦ ସାମ୍ନାକୁ ଆସିଛି ।

The post ବର୍ଷା ପ୍ରିୟଦର୍ଶିନୀଙ୍କ ପାଲଟା ଅଭିଯୋଗ: ମରାମତି ବାହାନାରେ ଘରୁ ବାହାର କରିବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ ହେଉଛି first appeared on Sambad.



from ଜିଲ୍ଲା – Sambad https://ift.tt/2JH59h3