
ମୃତକଙ୍କ ବାପା-ମା’ଙ୍କ ସ୍ଥିତି ସଂପର୍କରେ ତଥ୍ୟ ତଲବ
ହାଜତ ମୃତ୍ୟୁ ନୁହେଁ, ଦୁର୍ଘଟଣା: ଏସ୍ପି
କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୃତକଙ୍କ ବାପା-ମା’ କେଉଁ ସ୍ଥିତିରେ ଅଛନ୍ତି ସେ ନେଇ ଅବଗତ କରିବାକୁ ହାଇକୋର୍ଟ ସରକାରଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶରତ କୁମାର ରାୟଗୁରୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିବା ସଂପର୍କରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପଦ୍ମାଳୟା ମହାପାତ୍ର ସୂଚନା ଦେଇଛନ୍ତି।
ସୋମବାର ମାମଲାର ଶୁଣାଣି ସମୟରେ କିନ୍ତୁ ପୁରୀ ଏସ୍ପି ଡକ୍ଟର କେ.ବିଶାଲ ସିଂ କେ.ରମେଶଙ୍କ ହାଜତ ମୃତ୍ୟୁ ହୋଇ ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି।
ଏସ୍ପି ଦର୍ଶାଇଛନ୍ତି ଯେ ମୃତକଙ୍କ ନାଁରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଅନୁଗୋଳ ଜିଲ୍ଲାରେ ଆପରାଧିକ ମାମଲା ରହିଛି। କେ.ରମେଶଙ୍କୁ ପୁଲିସ ଧରିବାକୁ ଉଦ୍ୟମ କରିଥୁବାବେଳେ ସେ ପୁଲିସ ଅଧିକାରୀଙ୍କୁ ବନ୍ଧୁକ ଦେଖାଇଥିଲେ। ଖସି ଯିବାକୁ ଓ ପୁଲିସକୁ ମାରିବା ଉଦ୍ଦେଶ୍ୟରେ ସେ ଏପରି କରିଥିଲେ। ପୁଲିସ ସହିତ ଧସ୍ତାଧସ୍ତି ବେଳେ ରମେଶ ପଥୁରିଆ ରାସ୍ତା (ଷ୍ଟୋନି ରୋଡ୍) ଉପରେ ପଡ଼ିଯାଇ ଅଚେତ ହୋଇଯାଇଥିଲେ। ପୁଲିସ ଟିମ୍ ତାଙ୍କ ନିକଟରୁ ଦୁଇଟି ଗୁଳିଥିବା ଗୋଟିଏ ୭.୬୨ ଏମଏମ ପିସ୍ତଲ, ଗୋଟିଏ ମାଗାଜିନ୍ ଓ ଗୋଟିଏ ମୋବାଇଲ ଫୋନ୍ ପାଇଥିଲେ। ପାଣି ଛିଞ୍ଚି ତାଙ୍କ ଚେତା ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରେ ମେଡିକାଲ ଅଫିସର ତାଙ୍କୁ ମୃତ ଘୋଷଣା କରିଥିଲେ। ନଭେମ୍ବର ୧୯ ସକାଳ ୯ଟା ୨୫ରେ ଏକ୍ଜିକ୍ୟୁଟିଭ୍ ମାଜିେଷ୍ଟ୍ରଟଙ୍କ ଉପସ୍ଥିତିରେ ଇନକ୍ବେଷ୍ଟ କରାଯାଇଥିଲା। ଏହି ସମୟରେ ମୃତକଙ୍କ ବାପା କେ.ଗୁରୁମୂର୍ତ୍ତି ଓ ତାଙ୍କ ପରିବାରର ଆଉ ଜଣେ ସେଠାରେ ଉପସ୍ଥିତ ଥିଲେ। ଏ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ଘଟଣା ଏକ ହାଜତ ମୃତ୍ୟୁ ମାମଲା ନୁହେଁ, ରମେଶଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ପୁଲିସ ଆଇନ ଅନୁସାରେ ନିଜ କର୍ତ୍ତବ୍ୟ ନିର୍ବାହ କରିଥିଲା। ଏନ୍ଏଚ୍ଆର୍ସି ଜାରି କରିଥିବା ନିୟମାବଳୀ ଏହି ମାମଲାରେ ପାଳନ କରାଯାଇଛି। ଏଥିସହିତ ଆବଶ୍ୟକ ତଦନ୍ତ ପାଇଁ ଜଣେ ଜୁଡିସିଆଲ ମାଜିଷ୍ଟ୍ରେଟ୍ଙ୍କୁ ଦାୟିତ୍ବ ଦେବାକୁ ପୁରୀ ଜିଲ୍ଲା ଜଜଙ୍କୁ ୨୦ ତାରିଖ ଦିନ ଦରଖାସ୍ତ ଦିଆଯାଇଛି। ଏପରି ରିପୋର୍ଟ ଏନଏଚଆରସିରେ ଦାଖଲ ହେବ। ବାସେଳିସାହି ଥାନାର ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ମୃତକଙ୍କ ବାପା-ମାଙ୍କ ପତ୍ତା ମିଳୁ ନାହିଁ।
ଅନ୍ୟପଟେ ପୁଲିସ ହାଜତରେ ହୋଇଥିବା ଏଭଳି ବର୍ବର ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି। ପୁଲିସ ହେପାଜତରେ ଥିବା କେ.ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଘଟଣାର ଉପଯୁକ୍ତ ତଦନ୍ତ ଆବଶ୍ୟକ। ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏସଡିଜେଏମ୍ ଅଦାଲତ ହୋଇଥିବା ବେଳେ କୋର୍ଟ ଚାଲାଣ ନ କରି ବିନା କାରଣରେ ରମେଶଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ଲୋକନାଥ ରୋଡ୍ ନିକଟରେ ବ୍ୟବସାୟ କରି ପରିବାର ଚଳାଉଥିବା ରମେଶଙ୍କୁ କେଉଁ କାରଣରୁ ଥାନାରେ ଅଟକ ରଖାଯାଇଥିଲା ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଥିଲା, ତାହା ତଦନ୍ତ ହେବା ଆବଶ୍ୟକ। ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି ଓ ବାସେଳିସାହି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
The post ପୁରୀ ହାଜତ ମୃତ୍ୟୁ : ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କର: ହାଇକୋର୍ଟ first appeared on Sambad.
from ଜିଲ୍ଲା – Sambad https://ift.tt/2J9kJS7
0 Comments