କଟକ:  ‘କଟକରେ ମୋର ଜନ୍ମ। ଏଠାରେ ଭାଇଚାରା ଓ ସମସ୍ତଙ୍କ ସାହାଯ୍ୟ ମନୋବୃତ୍ତି ସବୁବେଳେ ଦେଖିବାକୁ ମିଳେ। ମୋତେ ଏଇ ସହରର ଭିଡ଼ ଦେଖିଲେ ଭଲଲାଗେ। ଘରୁ ବାହାରିଲାବେଳକୁ ସବୁକିଛି ଆପଣଙ୍କ ପାଖେ ଉପଲବ୍ଧ ଥିବ। ସପି˚ ମଲ୍‌ଠୁ ଆରମ୍ଭ କରି ଡାଲି ଚାଉଳ ଦୋକାନ ଚାରିଆଡ଼େ ରହିଛି। ଏଠାରେ ଘରୋଇ ବାତାବରଣ ସବୁବେଳେ ଥାଏ। ସବୁ ଲୋକ ନିଜର ଭଳି ଲାଗନ୍ତି।। ବହୁତ ପୁରୁଣା ସହର ହୋଇଥିବାରୁ ଲୋକଙ୍କ ଭିତରେ ରକ୍ଷଣଶୀଳ ମାନସିକତା ରହିଛି। ତଥାପି ଏଠାରେ ସବୁବେଳେ ସୁସ୍ଥ ବାତାବରଣ ଅଛି। କଟକରେ ସ୍କୁଲ୍‌ ପଢ଼ା ଶେଷ ହେବା ପରେ ମୁଁ ବାହାରକୁ ଚାଲିଯାଇଥିଲି।’

‘ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ସାରି ଫେରିବା ପରେ ଭୁବନେଶ୍ବରରେ ରହିଲି। ବାହାରେ ମଧ୍ୟ ଚାକିରି କଲି। ସିନେମା ଲାଇନ୍‌କୁ ଆସିବା ପରେ ମୁଁ କଟକ ଫେରିଲି। ଅଭିନୟ ପାଇଁ ଚାକିରି ଛାଡ଼ିକି ଆସିଥିଲି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିଜୟ ମହାନ୍ତି ଥିବାବେଳେ ସେ ମୋତେ ସିନେମା ସୁଯୋଗ ଦେଇଥିଲେ। ଡିଡି-୧ ଚ୍ୟାନେଲର ଏକ ଧାରାବାହିକ ପାଇଁ ନୂଆ ମୁହଁ ଦରକାର ଥିଲା। ସେଠାକୁ ମୋର କିଛି ଫଟୋ ପଠାଇ ଅଡିସନ୍‌ ଦେଇଥିଲି। ନୂଆ ଅଭିନେତ୍ରୀ ଆବଶ୍ୟକ ଥିବାରୁ ମୋତେ ଆଉ ବେଶି କଷ୍ଟ କରିବାକୁ ପଡ଼ିଲାନି। ଯେହେତୁ ମୋର ସିନେମା କିମ୍ବା ଧାରାବାହିକ ଉପରେ କିଛିବି ଅଭିଜ୍ଞତା ନଥିଲା ତେଣୁ ମୁଁ କେବଳ ମୋ ଅଭିନୟ ଉପରେ ଅଧିକ ଧ୍ୟାନ ଦେଉଥିଲି। ମୋ ପରିବାରର ସମସ୍ତେ ଡାକ୍ତର କିମ୍ବା ଇଞ୍ଜିନିୟର ଲାଇନ୍‌ରେ ଯାଇଛନ୍ତି। ମୁଁ ପ୍ରଥମ ବ୍ୟକ୍ତି ଯିଏ ଅଭିନୟ ଲାଇନ୍‌ରେ।’

‘ସିନେମା କିମ୍ବା ଧାରାବାହିକରେ ମୁଖ୍ୟ ଚରିତ୍ର ପାଇବା ଆଶା ନଥିଲା। ପାଖାପାଖି ୧୦ ବର୍ଷ ପରେ ଏହି ମାନସିକତା ଜନ୍ମ ନେଇଥିଲା। ଭଗବାନଙ୍କ ଆଶୀର୍ବାଦରୁ ସବୁପ୍ରକାରର ଚରିତ୍ରରେ ଅଭିନୟର ସୁଯୋଗ ମିଳିଛି। ଜାତୀୟସ୍ତରରେ ନାଁ କରିବାକୁ ଆଗ୍ରହ ଥିଲେ ବି ବର୍ତ୍ତମାନସୁଦ୍ଧା ଏହି ସ୍ବପ୍ନ ସାକାର ହୋଇପାରିନି। ପ୍ରାଥମିକ ପର୍ଯ୍ୟାୟରେ ସୁଯୋଗ ମିଳିଥିଲେ ବି ନିଜ ରାଜ୍ୟରେ ସୀମିତ ରହିବା ମାନସିକତା ଯୋଗୁଁ ହାତଛଡ଼ା କରିଥିଲି। ମୋତେ ପରାମର୍ଶ ଦେବାକୁ କେହିବି ନଥିଲେ। ପରିପକ୍ବତା ଆସିଲାବେଳକୁ କେତେବଡ଼ ସୁଯୋଗ ହାତଛଡ଼ା କଲି ତାହା ଜାଣିପାରିଲି। ଆଶା ଅଛି, ଦିନେନା ଦିନେ ଜାତୀୟସ୍ତରରେ ନାଁ କରିବି।’

The post ଜାତୀୟସ୍ତରରେ ଅଭିନୟ କରିବାର ସ୍ବପ୍ନ ରହିଛି, ମିଳିନି ସୁଯୋଗ : ଶ୍ବେତା ଆଚାର୍ଯ୍ୟ first appeared on Sambad.



from ଜିଲ୍ଲା – Sambad https://ift.tt/3lFMCjb