
କେନ୍ଦ୍ରାପଡ଼ା: ‘ଆମର ଚାଉଳ, ଅଣ୍ତା ଲୋଡ଼ା ନାହିଁ। ଗୁଣାତ୍ମକ ଶିକ୍ଷା ଦରକାର। ଆମେ ପାଠ ପଢ଼ିବାକୁ ଚାହୁଁ। ଏଣୁ ଆମ ସ୍କୁଲ୍କୁ ଫେରାଇ ଦିଅ। ଇଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ବ୍ଲକ୍ ଅରଡ଼ପଲ୍ଲୀ ପ˚ଚାୟତ ଓଟାରବାଙ୍କ ହରିଜନ ସାହି ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲାଙ୍କ ଗୁହାରି। ଅରଡ଼ପଲ୍ଲୀ ପ୍ରାଥମିକ ସ୍କୁଲ୍ ସହିତ ତାଙ୍କ ସ୍କୁଲ୍କୁ ମିଶାଇ ଦିଆଯିବାକୁ ବିରୋଧ କରି ଆଜି ବହୁ ପିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଜିଲ୍ଲାପାଳଙ୍କୁ ସ୍କୁଲ୍ ଫେରାଇ ଦେବାକୁ ନିବେଦନ କରିଛନ୍ତି। ଅଭିନବ ପ୍ରତିବାଦ ଜଣାଇ ପିଲାମାନେ ହାତରେ ଚାଉଳ ଓ ଅଣ୍ତା ଧରି ବିକ୍ଷୋଭ ବି ପ୍ରଦର୍ଶନ କରିଛନ୍ତି। ଆମ ସ୍କୁଲ୍ ଫେରାଇ ଦିଆ ନଗଲେ ଆଗକୁ ରାସ୍ତାରୋକ କରାଯିବ ବୋଲି ପିଲାଙ୍କ ସହିତ ସେମାନଙ୍କ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
୨୦୦୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଓଟାରବାଙ୍କ ହରିଜନ ସାହି ପ୍ରାଥମିକ ସ୍କୁଲ୍ରେ ପିଲା ସ˚ଖ୍ୟା କମ୍ ଥିବା ଦର୍ଶାଯାଇ ଅରଡ଼ିପଲ୍ଲୀ ସ୍କୁଲ୍ ସହିତ ମିଶାଇ ଦିଆଯାଇଛି। କିନ୍ତୁ ଏହାକୁ ସ୍ଥାନୀୟ ଦଳିତ ବସ୍ତିର ଅଭିଭାବକମାନେ ବିରୋଧ କରିଛନ୍ତି। ଅରଡ଼ପଲ୍ଲୀ ଦୂରତା ୨ କିଲୋମିଟରରୁ ଅଧିକ ହେଇଥିବାରୁ ପିଲାମାନେ ସେଠାକୁ ପ୍ରତିଦିନ ଯାଇ ପାଠ ପଢ଼ିବା କଷ୍ଟକର ହୋଇପଡ଼ିବ। ଏହାଦ୍ବାରା ବହୁ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧୢ ହେବେ ବୋଲି ଗ୍ରାମବାସୀମାନେ ଆଶଙ୍କା କରିଛନ୍ତି। ଏ କଥା ବି ଅଭିଯୋଗ କରିଛନ୍ତି ଯେ ସରକାର ଏଭଳି ମିଶ୍ରଣ ଜରିଆରେ ସ୍କୁଲ୍ ବନ୍ଦ କରି ସିଧାସଳଖ ଘରୋଇ ସ୍କୁଲ୍କୁ ଫାଇଦା ପହଞ୍ଚାଇଛନ୍ତି। ଗରିବ ପିଲାମାନେ ଏହାଦ୍ବାରା ସିଧାସଳଖ ପ୍ରଭାବିତ ହେବେ। ସେମାନେ ଫି ଦେଇ ଘରୋଇ ସ୍କୁଲ୍ ପାଠ ପଢ଼ି ପାରିବେ ନାହିଁ। ଫଳରେ ଶିକ୍ଷାରୁ ବ˚ଚିତ ହେବାର ଆଶଙ୍କା ରହିଛି। ଏଣୁ କୁନି କୁନି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ସ୍କୁଲ୍କୁ ମିଶ୍ରଣ ପ୍ରକ୍ରିୟାରୁ ବାଦ୍ ଦେବାକୁ ସ୍କୁଲ୍ ପରିଚାଳନା କମିଟି ସଭାପତି କୃତିବାସ ମଳିକ, ବଳବନ୍ତ ମଳିକ, ଚନ୍ଦ୍ରଶେଖର ଦାସ, ବଲ୍ଲଭ ମଳିକ, ଗୌରାଙ୍ଗ ମଳିକ, ତପନ ମଳିକ, ଅବକାଶ ମଳିକଙ୍କ ସମେତ ବହୁ ସାହି ଲୋକ ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ପ୍ରଦାନ କରାଯାଇଛି।
The post ‘ଚାଉଳ-ଅଣ୍ତା ନିଅ; ଆମ ସ୍କୁଲ୍ ଫେରାଇ ଦିଅ’ first appeared on Sambad.
from ଜିଲ୍ଲା – Sambad https://ift.tt/36HxvzG
0 Comments